ଧନତେରାସରେ ଶସ୍ତାରେ ସୁନା କିଣିବାର ମଉକା, ନଭେମ୍ବର ୯ରୁ ସରକାର ଆରମ୍ଭ କରୁଛନ୍ତି ସ୍କିମ
ଶସ୍ତା ସୁନା କିଣିବାର ମଉକା: ଆଉ କିଛି ଦିନ ପରେ ଧନତେରାସ । ଏହି ଅବସରରେ ସୁନା କିଣିବାକୁ ଶୁଭ ବୋଲି ମନେ କରାଯାଏ । ଏହି କାରଣରୁ ଧନତେରାସରେ ସୁନା କିଣିବାକୁ ଲୋକମାନେ ଅପେକ୍ଷା କରିବସିଥାନ୍ତି । ତେବେ ଚଳିତ ବର୍ଷ ଧନତେରାସରେ ସରକାର ଶସ୍ତାରେ ସୁନା କିଣିବାର ମଉକା ପ୍ରଦାନ କରୁଛନ୍ତି । ନିମ୍ନରେ ଏ ବିଷୟରେ ସଂପୂର୍ଣ୍ଣ ବିବରଣୀ ଦିଆଯାଇଛି ।
ସଭରେନ ଗୋଲ୍ଡ ବଣ୍ଡ ସ୍କିମ: ନଭେମ୍ବର ୯ରୁ ପୁଣି ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ସଭରେନ ଗୋଲ୍ଡ ବଣ୍ଡ ସ୍କିମ । ଏହି ସ୍କିମରେ ଆପଣ ନିଜେ ସୁନା କିଣିପାରିବେ ନାହିଁ କିନ୍ତୁ ନିବେଶ ପାଇଁ ଏହି ସ୍କିମ ଉକ୍ତୃଷ୍ଟ ।
ବଣ୍ଡ କିଣି ନିବେଶ: ଏହି ସ୍କିମରେ ବଣ୍ଡ କିଣିବାପରେ ଆପଣ ନିବେଶ କରିପାରିବେ । ବଣ୍ଡ ଆକାରରେ ଆପଣ ସର୍ବନିମ୍ନ ଏକ ଗ୍ରାମରୁ ଆରମ୍ଭ କରି ସର୍ବାଧିକ ଚାରି କିଲୋ ଯାଏ ନିବେଶ କରିପାରିବେ । ସାଧାରଣତଃ ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ସୁନାର ମୂଲ୍ୟ ବଜାର ମୂଲ୍ୟ ଠାରୁ କମ ଥାଏ ।
ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୧୭୭ ଟଙ୍କା: ରିଜର୍ଭ ବ୍ୟଙ୍କ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ବଣ୍ଡର ଦାମ ଗ୍ରାମ ପିଛା ୫,୧୭୭ ଟଙ୍କା ରଖାଯାଇଛି । ଅବଶ୍ୟ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କୁ ୫୦ ଟଙ୍କା ଛାଡ଼ କରାଯିବ ।
ଅନଲାଇନ ଆବେଦନ କଲେ ମିଳିବ ରିହାତି: ଏହିପରି ନିବେଶକମାନଙ୍କୁ ଆବେଦନ ସହିତ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କରିବାକୁ ପଡିବ । ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ ଅନଲାଇନ ଆବେଦନ କରୁଥିବା ନିବେଶକଙ୍କ ପାଇଁ ବଣ୍ଡର ଗ୍ରାମ ପିଛା ୫,୧୨୭ ଟଙ୍କା ରହିବ ।
ବଣ୍ଡର ଅବଧି ରହିବ ୮ ବର୍ଷ: ସୂଚନା ଅନୁଯାୟୀ ଏହି ବଣ୍ଡକୁ ୮ ବର୍ଷ ଅବଧି ପାଇଁ ଜାରି କରାଯାଏ ଏବଂ ପାଞ୍ଚ ବର୍ଷ ପରେ ଏଥିରୁ ବାହାରିବା ପାଇଁ ମଧ୍ୟ ବିକଳ୍ପ ରହିଥାଏ ।
କେଉଁଠୁ କିଣିବେ: ଏହାକୁ କିଣିବା ପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ, ବିଏସଇ, ଏନଏସଇର ୱେବସାଇଟ ବା ଡାକଘର ସହ ଯୋଗାଯୋଗ କରିବାକୁ ପଡ଼ିବ । ଏଠାରେ ଏହାକୁ ଡିଜିଟାଲ ପ୍ରକ୍ରିୟାରେ କିଣାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ ଅଟେ କାରଣ ଏଥିରେ ପ୍ୟୁରିଟି ସହ ସିକ୍ୟୁରିଟିର ଚିନ୍ତା ନଥାଏ ।