ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ମଣ୍ଡି: ଧାନ ବିକ୍ରି କରି ନପାରି ହଟହଟା ଚାଷୀ

1 min read

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ହଟହଟା ଚାଷୀ, ବେଫିକର ପ୍ରଶାସନ । ଫାଇଦା ଉଠାଇ ଆନ୍ଧ୍ର ଚାଲାଣ କରୁଛନ୍ତି ଦଲାଲ । ଜିଲ୍ଲାରେ ପ୍ରାଥମିକ ପର୍ଯ୍ଯୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୧ ଲକ୍ଷ ୪୬ ହଜାର ୫୦୪ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ପାଇଁ ୧୦ ଦିନ ବିଳମ୍ବରେ ଜାନୁଆରୀ ୩ରୁ ଖୋଲିଲା ମଣ୍ଡି । ୧୩ ତାରିଖ ମଧ୍ୟରେ ୧୦ ଦିନ ଭିତରେ ମାତ୍ର ୬୮ହଜାର ୧୬୪ ଟ୍ଵିଣ୍ଟାଲ୍ ଧାନ ଉଠିଥିବା ଜଣା ପଡ଼ିଛି । ଜିଲ୍ଲାର ମାତ୍ର ୧୩ଶହ ୩୭ ଜଣ ଚାଷୀ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଦଲାଲ । ଓଡ଼ିଶାରୁ କମ ଦରରେ ଧାନକିଣି ଟ୍ରକରେ ଆନ୍ଧ୍ର ବୋହି ନେଉଛନ୍ତି । ଅଦିନିଆ ବର୍ଷା ଯୋଗୁ ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଧାନ ନଷ୍ଟ ହୋଇଛି । ବର୍ଷା ଦାଉରୁ ଯେଉଁମାନେ କଷ୍ଟେମଷ୍ଟେ ବଞ୍ଚାଇ ରଖିଛନ୍ତି ସେମାନେ କିପରି ବିକ୍ରି କରିବେ ସେନେଇ ଚିନ୍ତାରେ ।

ଗତ ଖରିଫରେ ମିଳିଥିବା ଟାର୍ଗେଟରୁ ମାସେ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ଧାନ କ୍ରୟ ହୋଇ ସାରିଥିଲା । କିନ୍ତୁ ଚଳିତବର୍ଷ ଧାନକ୍ରୟ ପ୍ରକ୍ରିୟା ସମ୍ପୂର୍ଣ ଧିମା ଚାଲିଛି । ଦିଗପହଣ୍ଡି ବ୍ଲକକୁ ସର୍ବାଧିକ ୨୪୦ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ପାତ୍ରପୁର ବ୍ଲକକୁ ୧୭୦ ଓ ଚିକିଟି ବ୍ଲକକୁ ୧୨୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଅନ୍ୟ ବ୍ଲକରେ ଚାଷୀଙ୍କ ସଂଖ୍ୟା ୩ ଅଙ୍କ ଛୁଇଁନାହିଁ । ଧରାକୋଟ ବ୍ଲକକୁ ସର୍ବନିମ୍ନ ୧୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଜିଲ୍ଲାରେ ୨୦୨୪-୨୫ ଖରିଫରେ ମୋଟ ୪ ଲକ୍ଷ ୫ ହଜାର ୭୫୦ ହେକ୍ଟର୍ ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୧ଲକ୍ଷ ୭୮ହଜାର ୯ଶହ ହେକ୍ଟର୍ ଜମିରେ ଧାନ ଓ ୧ ଲକ୍ଷ ୨୬ହଜାର ୮୫୦ ହେକ୍ଟର୍ ଜମିରେ ଅଣଧାନ ଫସଲ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲାରେ ୩୬୫ଟି ସମବାୟ ସମିତି ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୧୭ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଧାନକ୍ରୟ କରିବେ ବୋଲି ନିଷ୍ପତ୍ତ ହୋଇଥିଲା । ଏଭଳି ମୋଟ ୪୮୩ଟି ଧାନକ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରି କରିବେ ବୋଲି ଚୂଡ଼ାନ୍ତ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନଥିବା ଚାଷୀ ଅଭିଯୋଗ କରିଛନ୍ତି ।