ପଞ୍ଚଭୂତରେ ଲୀନ ହେଲେ ବିଧାୟକ ବିଷ୍ଣୁ ସେଠୀ

ଭଦ୍ରକ: ପଞ୍ଚଭୂତରେ ଲୀନ ହେଲା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ଶୋକାକୂଳ ପରିବେଶରେ ଶେଷ ହୋଇଛି ଅନ୍ତିମ ସଂସ୍କାର । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ହୃଦଘାତରେ ଦେହାନ୍ତ ପରେ ଗତକାଲି ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ଭଦ୍ରକ ଅଣାଯାଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜନେତା ଓ ସମର୍ଥକ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ରାଜନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବିଷ୍ଣୁ ସେଠୀ ଆମର ରହେ ଧ୍ୱନିରେ କମ୍ପିଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡ଼ି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସମସ୍ତଙ୍କୁ ଛାଡ଼ି ବିଷ୍ଣୁ ସେଠୀ ଆଜି ପଞ୍ଚ ଭୂତରେ ଲୀନ ହୋଇଯାଇଛନ୍ତି ।