ଧାମନଗର ଉପନିର୍ବାଚନ, ରାଜନୀତି ସରଗରମ

1 min read

ଧାମନଗର: ଉଷ୍ମ ହେଉଛି ଧାମନଗର ଉପନିର୍ବାଚନ ରାଜନୀତି । ବାଜି ଜିତିବାକୁ ତିନି ପ୍ରମୁଖ ଦଳ ଜୋରସୋରରେ ଲାଗିଛନ୍ତି । ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ଥିବାରୁ ସବୁ ଦଳ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ । ଧାମନଗରରେ ବିଜୟ ଧ୍ବଜା ଉଡ଼ାଇବା ପାଇଁ ବିଜେଡି ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଚଳଚଞ୍ଚଳ କରିଛି । ନବୀନ ପ୍ରାର୍ଥୀ ଚୂଡ଼ାନ୍ତ କରିବେ । ସେପଟେ ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବା ପାଇଁ ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ମନସ୍ଥ କରିଛି ।

ଧାମନଗର ଫାଇଟ୍‌ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଏଯାଏଁ କେହି ପ୍ରାର୍ଥୀ କାର୍ଡ ଖୋଲିନାହାନ୍ତି । ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ବାଜି ଜିତିବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଧାମନଗରରେ ବିଜେଡି ବଡ଼ ବ୍ୟବଧାନରେ ବିଜୟ ଲାଭ ପାଇଁ ସମରସଜ୍ଜା ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଥିବା ଲୋକଙ୍କ ବିଶ୍ବାସ ଧାମନଗରରେ ଦଳକୁ ବଡ଼ ବିଜୟ ଦେବ ବୋଲି ବିଜେଡି କହିଛି ।

ସେପଟେ ଧାମନଗରରେ ବିଜେପି ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଏକରକମ ଚୂଡ଼ାନ୍ତ କରିଛି । ସେହିପରି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଧାମନଗର ଉପନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଦଳ ମୁଖିଆଙ୍କ ସହ ଆଲୋଚନା କରିବେ ବୋଲି ଅନନ୍ତ କହିଛନ୍ତି ।

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ତିନି ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ରାଜନୀତି ଜୋର ଧରିଛି ।