ଧାମନଗର ଉପନିର୍ବାଚନ: ଲଢ଼େଇରେ ବିଜେଡି ଆଗରେ

ଭଦ୍ରକ: ଧାମନଗର ଲଢେଇ ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ନଭେମ୍ବର ୩ ସେମିଫାଇନାଲ ପାଇଁ ତାରିଖ ଘୋଷଣା ପରେ ଗଡ଼ଦଖଲ କରିବାକୁ ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି କ୍ଲୋଜଡୋର ପଲିଟିକ୍ସ । ୨୦୦୦ ମସିହାରୁ ୨୦୧୯  ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ ଧାମନଗରରେ ସବୁବେଳେ  ଶାସକ ଦଳର ଦବଦବା ରହିଛି । ଏଥର ବି ଉପନିର୍ବାଚନରେ ଦଳ ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଶାସକ ଦଳ ଯୁକ୍ତି ବାଢ଼ିଛି । କଂଗ୍ରେସ, ବିଜେପିକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିବାକୁ ଅଣ୍ଟା ଭିଡ଼ିଛି ।

ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୈତିକ ଅଙ୍କ କଷା । ୧୯ ବର୍ଷ ଧରି ଧାମନଗର ଭୋଟରଙ୍କ ମୁଡ଼କୁ ସମୀକ୍ଷା କଲେ ଧାମନଗରରେ ବିଜେଡ଼ିର ବିଜୟବାନା ଉଡିବା ଅଧିକ ସ୍ପଷ୍ଟ ସଙ୍କେତ ଦେଉଛି ।  ୨୦୦୦ ମସିହାରେ ସ୍ବାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜେପି ପ୍ରାର୍ଥୀ ମନମୋହନ ସାମଲକୁ ପରାସ୍ତ କରିଥିଲେ । ୨୦୦୪ ମସିହାରେ ବିଜେପି ଓ ବିଜେଡି ମେଣ୍ଟ ଯୋଗୁଁ  ମନମୋହନ ସାମଲ ବିଜୟୀ ହୋଇଥିଲେ । ୨୦୦୯ରେ କିନ୍ତୁ ବଦଳିଗଲା ଧାମନଗର ରାଜନୀତି । ବିଜେପି ସହ ବିଜେଡି ମେଣ୍ଟ ଭାଙ୍ଗିବାରୁ ଏହି ଆସନ ଅକ୍ତିଆର କରିଥିଲା ବିଜେଡି । ବିଜେଡି ପ୍ରାର୍ଥୀ  ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ୨୦୧୪ରେ ଲଗାତର ଦ୍ବିତୀୟ ଥର ପାଇଁ  ବିଜେଡି ଏହି ଆସନ ଦଖଲ କଲା । ବିଜେଡି ବିଧାୟକ ଭାବେ ମୁକ୍ତିକାନ୍ତ ମଣ୍ଡଳ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେଡ଼ି ପ୍ରାର୍ଥୀ ମାତ୍ର ୪ହଜାର ୬୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ହେଲେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ଧାମନଗରରେ ଏକ ପାଖିଆ ବିଜୟୀ ହୋଇଥିବାରୁ ଉପ ନିର୍ବାଚନରେ ଦଳ ବଡ଼ ବିଜୟ ବ୍ୟବଧାନରେ ଜିତିବ ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି ।

୨୦୧୯ ନିର୍ବାଚନରେ ବିଜେପି ୮୦ ହଜାର ୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୭୫ ହଜାର ୪୮୬ ଖଣ୍ଡ ଭୋଟ ପାଇଥିଲା । କଂଗ୍ରେସ ୭ ହଜାର ୩୦୩ ଖଣ୍ଡ ଭୋଟ ପାଇଥିଲା । ବିଜେଡି ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟ ପଛରେ ରହିଯାଇଥିଲା । ତେବେ ପୂର୍ବରୁ ଉପନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିଜେଡି ପାଇଁ ଧାମନଗର ଗଡ଼ ହାସଲ କରିବା ସହଜ ହେବ । କଂଗ୍ରେସ କିନ୍ତୁ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ଆଗରେ ରହିବାକୁ ରଣନୀତି କରୁଛି । ଦଳ କାହାକୁ ଟିକେଟ ଦେବ ଏନେଇ ପିସିସି ସଭାପତି ସ୍ବତନ୍ତ୍ର କିମିଟି ଗଠନ କରିଥିଲେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କମିଟି ସଦସ୍ୟ ଜୟଦେବ ଜେନା । ବିଜେପି କିନ୍ତୁ ଏ ନିର୍ବାଚନରେ କଡ଼ା ଟକ୍କର ଦେବାକୁ ସଜବାଜ ଆରମ୍ଭ କରିଛି ।

ନିକଟ ଅତୀତରେ ହୋଇଥିବା ୫ଟି ଉପନିର୍ବାଚନ ଫଳାଫଳ ବିଜେଡ଼ି ସପକ୍ଷରେ ଯାଇଛି  । ବିଜେପୁର, ବାଲେଶ୍ବର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଉପନିର୍ବାଚନ ଶାସକ ବିଜେଡି ଏକ ପାଖିଆ ବିଜୟ କରିଛି । ଧାମନଗର ନିର୍ବାଚନୀ ମଣ୍ଡଳୀର ରାଜନୈତିକ ଇତିହାସକୁ ସମୀକ୍ଷା କଲେ ନଭେମ୍ବର ୩ ତାରିଖରେ ହେବାକୁ ଯାଉଥିବା ଉପନିର୍ବାଚନ ଫଳାଫଳ ବିଜେଡି ବେଶ ଫାଇଦା ଦେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।