ଆଜି ଆସିବ ଧାମନଗର ରାୟ, ସକାଳ ୮ଟାରୁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଗଣତି

ଧାମନଗର: ଆଜି ଆସିବ ଧାମନଗର ରାୟ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଭୋଟ୍ ଗଣତି ହେବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ୮ଟାରୁ ସାଢ଼େ ୮ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ହେବ । କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ ।

୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ସହ ଗୋଟିଏ ପ୍ଲାଟୁନ ସିଆରପିଏଫ୍ ଯବାନ ମୁତୟନ । ଭୋଟ ଗଣତି କେନ୍ଦ୍ରର ୧୦୦ ମିଟର ଦୂରରେ ଗାଡ଼ି ପାର୍କିଂ କରାଯିବ । ଯେଉଁମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କଠାରୁ ପାଇଥିବେ । ସେହିମାନେ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ । ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀ ମଧ୍ୟ ଗଣତି ପ୍ରକ୍ରିୟା ଅନୁଧ୍ୟାନ ପାଇଁ କେନ୍ଦ୍ରକୁ ଯାଇପାରିବେ ।