ପ୍ରଚାର ପାରାରେ ତାତିଲାଣି ଧାମନଗର

ଧାମନଗର: ଜମିବାରେ ଲାଗିଛି ଧାମନଗର ଉପନିର୍ବାଚନ ପ୍ରଚାର । ସୁବ୍ୟବସ୍ଥିତ କ୍ୟାମ୍ପେନିଂ କରି ଆଗରେ ବିଜେଡି । ଯାହାକୁ ଦେଖି ବିରୋଧୀ ବିଜେପି ଶିବିରରେ ଛାନିଆ ଓ ତାଟକା । ବିଷ୍ଣୁଙ୍କ ପରଲୋକର ମାସେ ପରେ ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେପିର ଶ୍ରଦ୍ଧାଞ୍ଜଳି ସଭା ପଲିଟିକ୍ସ ଉପରେ ବିର୍ଷିଛି କଂଗ୍ରେସ । ଅନ୍ୟପଟେ ଅନୁକମ୍ପା ନୁହେଁ, ବିକାଶ ସହ ଲୋକ ରହିଛନ୍ତି ଓ ରହିବେ ବୋଲି ଶାସକ ଦଳ କହିଛି । ଦିବଂଗତ ବିଧାୟକଙ୍କୁ ନେଇ ବିଜେପି ରାଜନୀତି ନିଜ ପାଇଁ ବୁମେରାଂ ହେବ ବୋଲି ଉଭୟ କଂଗ୍ରେସ ଓ ବିଜେଡି କହିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।

ମୃତ୍ୟୁର ମାସେ ପରେ ରାଜନୀତି ପାଇଁ ବିଜେପି ଧାମନଗରର ବିଭିନ୍ନ ପଞ୍ଚାୟତରେ ଶ୍ରଦ୍ଧାଞ୍ଜଳି ସଭା କରିବାକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆନ୍ତରିକତା ନଥାଇ ବିଜେପି ଏପରି ଡ୍ରାମା କରୁଥିବା ତାରା ଅଭିଯୋଗ କରିଛନ୍ତି । ବିଜେପିର ଶ୍ରଦ୍ଧାଞ୍ଜଳି ଡ୍ରାମାକୁ ଧାମନଗରବାସୀ ଜାଣି ସାରିଲେଣି । ଶ୍ରଦ୍ଧାଞ୍ଜଳି ସଭା ସ୍ବର୍ଗତ ବିଧାୟକଙ୍କ ପାଇଁ ଉପହାସ । ତେଣୁ ଉପନିର୍ବାଚନରେ ବିଜେପି ସଫା ହୋଇଯିବ ବୋଲି ତାରା ଭବିଷ୍ୟତବାଣୀ କରିଛନ୍ତି । ଶାସକ ଦଳ ବିଜେପିର ଏପରି ରାଜନୀତିକୁ ନାପସନ୍ଦ କରିଛି ।

ଧାମନଗର ପ୍ରଚାର ଆଗରେ ଥିବା ଶାସକ ବିଜେଡି ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ଦଳ ଯୁକ୍ତି ବାଢିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଜଣେ ମିଶନ ଶକ୍ତି ସଦସ୍ୟା  । ତେଣୁ ସେ ବିଜୟୀ ହେବା ନିଶ୍ଚିତ ବୋଲି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି । ବିକାଶକୁ ମନ୍ତ୍ର କରି ରାଜ୍ୟ ସରକାର କାମ କରୁଥିବାରୁ ବିଜେଡି ସହ ଛାତ୍ର, ଯୁବ, ମହିଳା ରହୁଛନ୍ତି । ତେଣୁ ଅନୁକମ୍ପା ନୁହେଁ, ବରଂ ବିକାଶ ସହ ଧାମନଗରବାସୀ ରହିବେ । ବାଲେଶ୍ବର ପରି ଧାମନଗରବାସୀ ଅବନ୍ତୀ ଦାସଙ୍କୁ ଆର୍ଶୀବାଦ କରି ବିଜୟ କରାଯାଇବେ ବୋଲି ଦଳ କହିଛି ।

ଧାମନଗର ବ୍ୟାଟଲ ଜିତିବା ପାଇଁ ସବୁ ଦଳ ଜୋରଦସାର କସରତ କରିଥିବା ବେଳେ ଷ୍ଟାର ପ୍ରଚାରକମାନେ ଘରଘର ବୁଲି ଭୋଟରଙ୍କୁ ମନାଉଛନ୍ତି । ଦୀପାବଳୀ ପରେ ଉପନିର୍ବାଚନ ପାଇଁ ପ୍ରଚାର ଆହୁରି ଜୋରଦାର ହେବ ।