ଆସନ୍ତାକାଲି ଧାମନଗର ଭୋଟ୍: ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ସକାଳ ସାଢ଼େ ୫ଟାରେ ମକପୋଲ । ସକାଳ ୭ଟାରୁ ସଂଧ୍ୟା ୬ଯାଏ ଭୋଟଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ସାଢ଼େ ୬ଯାଏ ଏକଜିଟ୍ ପୋଲ ବ୍ୟାନ । ଆଜି ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଆସନ୍ତାକାଲି ଧାମନଗର ଉପନିର୍ବାଚନଲାଗି କମିଶନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ସୁରକ୍ଷାରୁ ନେଇ ପୋଲିଂ ଯାଏ ସମସ୍ତ ପ୍ରସ୍ତୁତି ନେଇ ଟିକିନିଖି ସୂଚନା ଦେଇଛନ୍ତି । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଇଭିଏମ୍ ସହ ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ବର୍ତ୍ତମାନ ସାଇଲେଣ୍ଟ ପିରିୟ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ବୁଥର ଶହେ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ ।

ଯଦି କେହି ନିୟମ ଉଲ୍ଲଂଘନ କଲା ତେବେ ତାଙ୍କୁ ଆରେଷ୍ଟ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ମୋଟ ୨୫୨ ବୁଥ ରହିଛି । ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥିମଧ୍ୟରୁ ୧୨୬ଟି ୱେବକାଷ୍ଟିଂ ହେବ । ୨୫ଟି ମାଇକ୍ରୋ ଅଵଜରର୍ଭର ରହିଛନ୍ତି । ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି ।

ସାଇଲେଣ୍ଟ ପିରିୟଡଠୁ ନେଇ ମତଦାନ ପର୍ଯ୍ୟନ୍ତ ମଦ ବିକ୍ରି ମନା । ୪ଟି ସେଣ୍ଟ୍ରାଲ ଟିମ ଓ ହଜାରେ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ସିଇଓ । ବୁଥ ବାହାରେ ସାନିଟାଇଜର ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧି ଆସିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ସିଇଓ । ଭିନ୍ନକ୍ଷମଙ୍କ ପାଇଁ ୯୮ଟି ଅଟୋରିକ୍ସାର ବ୍ୟବସ୍ଥା ହୋଇଛି । ରିକ୍ସାରେ ଘରୁ ଆଣିବା ଓ ଘରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।

ସେହପରି ମତଦାନ ଦିବସକୁ ଛୁଟି ବୋଲି ଘୋଷଣା କରାଯାଇଛି । ସବୁ ବୁଥରେ ହେଲ୍ପ ଡେସ୍କ ରହିବ । ଇଭିଏମରେ ତ୍ରୁଟି ହେଲେ ଅଧୈର୍ଯ୍ୟ ନହୋଇ ଅପେକ୍ଷା କରିବାକୁ ସିଇଓ ନିବେଦନ କରିଛନ୍ତି । ତୁରନ୍ତ ରିଜର୍ଭ ଇଭିଏମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଇଓ । ୩ ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ ।

ସାଧାରଣ ଅଭିଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ଦିଆଯାଇଛି । ୫ ଟି ମାମଲାରେ ପୋଲିସ କେସ ହୋଇଛି । ଆଉ ଗୋଟିଏ କେସରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଯାହାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ବୋଲି କହିଛନ୍ତି ସିଇଓ ।