ଗୋଟି ପହଣ୍ଡିରେ ତିନି ଠାକୁର, ଝୁଲି ଝୁଲି ଆସୁଛି କାଳିଆ..

1 min read

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ ଆସିଛନ୍ତି ତିନି ଠାକୁର  ।  ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ ।

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ ।

ତେବେ ଆଜି ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥ ଉପରକୁ ଆସୁଛନ୍ତି ତିନି ଦିଅଁ  । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ । ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।