ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିବେ ଡିଜିପି ଓ ଏସପି

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ । କେତେ ଆଇନଜୀବୀଙ୍କର ହୋଇଛି ଲାଇସେନ୍ସ ରଦ୍ଦ । ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଭିସିରେ ହାଜର ହୋଇ ପକ୍ଷ ରଖିବେ ଡିଜିପି ଓ ସମ୍ବଲପୁର ଏସପି । କେତେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ତାହା ଜଣାଇବା ଲାଗି ବାର୍ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ରହିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଥିବା କମିଟି କହିଛି । ଓକିଲ ସଂଘର ଆନ୍ଦୋଳନ ଓ କୋର୍ଟ ଭିତରେ ଧସେଇ ପଶି ଭଙ୍ଗାରୁଜା ଘଟଣାରେ ୧୭ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୋଲିସ । କୋର୍ଟ ଅଞ୍ଚଳରେ ଲଗାଯାଇଛି ୧୪୪ ଧାରା । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ଥାନାରେ ଦାୟର ହୋଇଥିବା ମାମଲା ଅନୁସାରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଛି ବାର କାଉନସିଲ ଅଫ ଇଣ୍ଡିଆ ।