ମାଲକାନଗିରି: ଛତିଶଗଡ଼ ମାଓ ଆକ୍ରମଣ ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ । ଓଡିଶା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଛତିଶଗଡ଼ ପୋଲିସ ସହ ସମନ୍ୱୟ ରକ୍ଷାକରି ମାଓ ଦମନ ଅପରେସନକୁ ଯୋରଦାର କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଖାଲି ସେତିକି ନୁହେଁ ଏହି ଅବସରରେ ସେ ମାଓମାଦୀଙ୍କ କାର୍ଯ୍ୟାକଲାପକୁ ତୀବ୍ର ନିନ୍ଦା କରିଛନ୍ତି । ଛତିଶଗଡ଼ ପୋଲିସ, ସିଆରପିଏଫ୍ ସହ ମିଶି ଓଡିଶା ସୀମାନ୍ତରେ ମାଓ ଦମନ ନେଇ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ । ମାଓ ଦମନ ଅପରେସନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।
ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଯବାନଙ୍କୁ ଉଦ୍ଧାର ବେଳେ ପୁଣି ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ବିଜାପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟେକେଲଗୁଡା ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ଛତିଶଗଡ଼ ସୁକମା ବିଜାପୁରରେ ଯବାନ ଓ ନକ୍ସଲଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ଜଣ ଯବାନ ସହିଦ ହୋଇଛନ୍ତି । ଏନେଇ ବିଜାପୁର ଏସ୍ପି କାମଲୋଚନ୍ କଶ୍ୟପ ସୂଚନା ଦେଇଥିଲେ । ଗୁଳିବିନିମୟ ପରେ ବିକ୍ଷିପ୍ତ ଭାବରେ ପଡିରହିଥିଲା ଯବାନଙ୍କ ରକ୍ତାକ୍ତ ମୃତଦେହ । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉଜଣେ ଯବାନ ନିଖୋଜ ଅଛନ୍ତି । ଅନ୍ୟପଟେ ୩୦ ଜଣ ଗୁରୁତରଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୭ ଜଣ ଯବାନଙ୍କୁ ବାୟୁ ସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।
ଶନିବାର ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ ଡିଆର୍ଜି ଏଵଂ ଆଇଟିବିପି ଯବାନର ଏକ ଟିମ୍ ଅବୁଝମଡର କାକୁର୍ ଅଞ୍ଚଳରେ କମ୍ବିଂ ପାଇଁ ଯାଇଥିଲେ । ସେଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ । ଏହାପରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହ ।

