ମାସ୍କ ନପିନ୍ଧିଲେ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏର କଡ଼ା ଆଭିମୁଖ୍ୟ । ବିମାନଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଏଥିସହିତ ସେମାନଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ବିବେଚନା କରାଯିବ ବୋଲି ଡିଜିସିଏ କହିଛି । ଯାତ୍ରୀମାନେ ମାସ୍କ ପିନ୍ଧିବା ନିୟମର ପାଳନ କରୁଛନ୍ତି ନା ନାହିଁ, ତାହାର ତଦାରଖ ସିଆଇଏସଏଫ କରିବ । ବାରମ୍ବାର ଚେତାବନୀ ପରେ ମଧ୍ୟ ଯଦି ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ ନ କରନ୍ତି, ତାହା ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ।

ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ କରୁନଥିବାରୁ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ ଏହି ଯାତ୍ରୀମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଦେଶରେ ଗତ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାଲେ ଲାଗିଛି । ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ତିନି ମାସରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଛି ।