ସାରଥି ଜେଲରୁ ବାହାରିବା ପରେ ଭକ୍ତ ଆରମ୍ଭ କଲେ ପୂଜାର୍ଚ୍ଚନା, ଜଗନ୍ନାଥଙ୍କୁ କଲେ ଗୌଣ

ଭୁବନେଶ୍ବର/ଜୟପୁର: ପୁଣି ଆରମ୍ଭ ହେଲା ସାରଥି ଓରଫ ସନ୍ତୋଷ ରାଉଳଙ୍କ ପୂଜା । ସାରଥି ଜେଲରୁ ବାହାରିବା ପରେ ତାଙ୍କ ଅନୁଗାମୀ ପୁଣି ଆରମ୍ଭ କରିଦେଇଛନ୍ତି ପୂଜାର୍ଚ୍ଚନା । ଭୁବନେଶ୍ବର ଓ ଜୟପୁରରେ ସାରଥି ଭକ୍ତଙ୍କ କରିଛନ୍ତି ପୂଜାର୍ଚ୍ଚନା । ସାରଥିଙ୍କ ଫଟୋ ସତସଙ୍ଗ କରୁଛନ୍ତି ଭକ୍ତ । ସତସଙ୍ଗରେ ଶ୍ରୀଜଗନ୍ନାଥଙ୍କୁ ଗୌଣ କରିଛନ୍ତି ସାରଥି ଅନୁଗାମୀ । ଏପରିକି ମହାପ୍ରଭୁଙ୍କ ସହ ସାରଥିଙ୍କୁ ତୁଳନା କରିବାକୁ ବି ପଛାଉ ନାହାନ୍ତି ।

ପୁଣି ମାତିଲେ ସାରଥୀ । କଟକଣା ହଟିବା ପରେ ଆରମ୍ଭ ହେଲା ସାରଥି ସତସଙ୍ଗ । ମହାପ୍ରଭୁଙ୍କ ସହ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ତୁଳନା କଲେ ଅନୁଗାମୀ । ଜୀବନ ପଥ, ଏ ଦେହ ରଥ । ରଥ ବସିଛ ରେବତୀ କାନ୍ତ । ଗୀତରେ ଜମିଲା ସାରଥିଙ୍କ ପୂଜାର୍ଚ୍ଚନା । ସେଇ ରାଜକୀୟ ଠାଣି, ଫଟୋରେ ବେକ ପର୍ଯ୍ୟନ୍ତ କୁଢ଼, କୁଢ଼ ଫୁଲ । ତୁଳସୀ, ଗୋଲାପରେ ସଜା ହୋଇଛନ୍ତି ବାବା ସାରଥିଙ୍କ ଫଟୋ । ନାଚ, ଗୀତ, ଭଜନ କୀର୍ତ୍ତନରେ ମସଗୁଲ ପିଲାଠୁ ବୁଢା । ମହ ମହ ଧୂପ, ଦୀପ, ନୈବେଦ୍ୟ ସାଙ୍ଗକୁ ଭୋଗ । ବାରିମୂଳ ଆଶ୍ରମ ନୁହେଁ, ଭୁବନେଶ୍ବର କାରଗିଲ ବସ୍ତିରେ ଦେଖିବାକୁ ମିଳିଛି ଏପରି ଦୃଶ୍ଯ । ଏବେ ନୁହେଁ ଜୀବନ ଥିବା ଯାଏଁ ଏମାନଙ୍କ ପାଇଁ ବାବା ସାରଥୀ ସବୁକିଛି ବୋଲି କହିଛନ୍ତି ଅନୁଗାମୀ ।

ଦୋଳ ପୂର୍ଣ୍ଣିମାରେ କେବଳ ରାଜଧାନୀ ନୁହେଁ, ସାରା ଓଡିଶାରେ ଚାଲିଛି ସାରଥିଙ୍କ ପୂଜାର୍ଚ୍ଚନା । ଭଜନ ଓ କୀର୍ତ୍ତନ ସରିବା ପରେ ଫଗୁ ଓ ଲହୁଡି ଖେଳ ଖେଳିଛନ୍ତି ଅନୁଗାମୀ । କୋରାପୁଟ ଜିଲ୍ଲା ଫାମ୍ପୁଣିରେ ମଧ୍ୟ ସାରଥି ବାବାଙ୍କ ପୂଜାର୍ଚ୍ଚନା କରାଯାଇଛି । ଫାମ୍ପୁଣିରେ କରାଯାଇଛି ସ୍ଵତନ୍ତ୍ର ମନ୍ଦିର । ନବନିର୍ମିତ ସ୍ଥାୟୀ ମନ୍ଦିରର ପ୍ରତିଷ୍ଠା କରାଯିବା ସହିତ ହୋମ ଯଜ୍ଞ କରାଯାଇଛି । ସାରଥିଙ୍କୁ ଶ୍ରୀଜଗନ୍ନାଥଙ୍କ ସହ ତୁଳନା କରିଛନ୍ତି । ତୁଳସୀ ଓ ଫୁଲ ଦେଇ କରିଛନ୍ତି ପୂଜାର୍ଚ୍ଚନ । ବାବାଙ୍କ ବଡ଼ ଫଟୋ ରଖାଯାଇଥିବା ବେଳେ ପାଖରେ ପ୍ରଭୁ ଜଗନ୍ନାଥଙ୍କ ଏକ ଛୋଟିଆ ଫଟୋ ଥିବାରୁ ଅନେକ ଲୋକେ ଏହାକୁ ନାପସନ୍ଦ କରିଛନ୍ତି ।

ହାଇକୋର୍ଟ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ଆଶ୍ରମରେ ପ୍ରବଚନ ଦେବାରେ ରୋକ ଲଗାଇଛନ୍ତି । ସାରଥି କେନ୍ଦ୍ରପଡା ଯାଇ ପାରିବେ, ହେଲେ ବାରିମୂଳ ଆଶ୍ରମ ନୁହେଁ । ତେବେ ସାରଥୀଙ୍କୁ ନେଇ ଏବେ ସତସଙ୍ଗ କରିବା ଚର୍ଚ୍ଚା ଜୋର ଧରିଛି ।