ଆସନ୍ତାକାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ସିଂହଦ୍ୱାର, ତିନି ସିଫ୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

1 min read
SJTA Increased Devotee Number For Daily Visits  

ପୁରୀ: ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ବାସୀ । SOP ଅନୁଯାୟୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା କରିଛନ୍ତି । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଶୀମନ୍ଦିରରେ ପ୍ରବେଶ କରିବେ । ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକନ ଚେକିଂ କରାଯିବ ।

ଗତ ୨୩ ତାରିଖରୁ ଖୋଲିଛି ଶୀମନ୍ଦିର । ତିନିଦିନ ଧରି ସେବାୟତ ଓ ସେବାୟତ ପରିବାର ବର୍ଗ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି  । ହେଲେ କାଲିଠୁ ପୁରୀବାସୀଙ୍କୁ ମିଳିବ ମହାବାହୁଙ୍କ ଦର୍ଶନ କରିବାର ସୁଯୋଗ । ତିନଟି ସିଫ୍ଟରେ ପହୁଡ଼ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ କରିବେ ଶ୍ରୀମନ୍ଦିରରେ ପ୍ରବେଶ । ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟପତ୍ର ଓ ଟୋକନ ଚେକିଂ କରାଯିବା ପରେ ଫଟୋ ଉଠାଯିବ । ଏହାପରେ ଭକ୍ତଙ୍କୁ ମୁଖ୍ୟଦ୍ୱାର ନିକଟରେ ସାନିଟାଇଜ୍ ବ୍ୟବସ୍ଥା କରିଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆସନ୍ତାକାଲି ୭ଟି ୱାର୍ଡର ଅଧିବାସୀ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଟୋକନ ପ୍ରଦାନ କରାଯାଇଥିବା ବେଳେ ସକାଳ ୭:୩୦ରୁ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ । ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି ।

ଆସନ୍ତା ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ରହିଛି ।

 

 

Leave a Reply