ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର : ଆସନ୍ତାକାଲି ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବ । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଆବାହନ କରି ପିଣ୍ଡ ଦାନ କରିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ  ପ୍ରବଳ ଭିଡ଼ ହେବା ଆଶଂକା କରାଯାଉଛି । ଅଶ୍ବୀନ କୃଷ୍ଣ ପ୍ରତିପଦା ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତିଳତର୍ପଣ ଦିଆଯାଇଥିବା ବେଳେ ଆସନ୍ତାକାଲି ମହାଲୟାରେ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି ।News Sambalpur, Online News Sambalpur, Sambalpur Local News

ଅନ୍ୟପଟେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ । ମାଆଙ୍କ ଏହି ବେଶ ଦର୍ଶନରେ ଗଙ୍ଗା ଦର୍ଶନ ସହ ସମାନ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମାଆଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସକାଳ ୪ ଟାରୁ ମନ୍ଦିର ଖୋଲାଯିବା ସହ ୪ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ୫ ଟାରୁ ମାଆଙ୍କ ଧବଳମୂଖି ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ମନ୍ଦିରର ଟ୍ରଷ୍ଟ ଓ ପ୍ରଶାସନ ମଧ୍ୟରେ ହୋଇଛି ଆଲୋଚନା । ମାଆଙ୍କ ନୀତିକାନ୍ତି କିପରି ସୁରୁଖୁରୁରେ ସମାପନ କରାଯିବ ଏଥିପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ରାତି ତମାମ ମାଆଙ୍କ ବେଶ ପାଇଁ ପ୍ରସ୍ତୁତି କରିବେ ସେବାୟତ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।