ଚୈତ୍ର ପର୍ବ: ମାଆ ତାରିଣୀ ଓ ମାଆ ମଝି ଘରିଆଣିଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ରାୟଗଡ଼ା: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଏବଂ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ପାଖରେ ଆରମ୍ଭ ହୋଇ ସାରିଛି ଚୈତ୍ର ପର୍ବ । ଦୁଇ ପୀଠରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ସୁନା ବେଶ ଦେଖିବା ପାଇଁ ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।  ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥଇବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ମାଆ ତାରିଙ୍କ ଚୈତ୍ର ପର୍ବର ଦ୍ବିତୀୟ ଦିନ । ମାଆଙ୍କ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ ପରେ ରୀତିକାନ୍ତିରେ ଷୋଡ଼ଶ ଉପଚାର ପୂଜା ହୋଇଥିଲା । ଏହାପରେ ସୁନା ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ୧୯୩୬ ମସିହାରୁ ମାଆଙ୍କ ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ସାତଦିନ ଦିନ ବ୍ୟାପୀ ପାଳିତ ଏହି ପର୍ବରେ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାଆଙ୍କ ସୁନାବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି । ୫ ଦିନ ହେବ ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ରାଜ୍ୟରୁ ଭକ୍ତଙ୍କ ଭିଡ଼ ଜମୁଛି । ମାଆଙ୍କ ନିକଟରେ ଶ୍ରଦ୍ଧାଳୁ ଛେଳି, କୁକୁଡ଼ା ବଳି ଦେଉଥିବା ବେଳେ ମାନସିକଧାରୀ ମୁଣ୍ଡନ କରାଉଛନ୍ତି । ମାଆଙ୍କ ଏହି ପର୍ବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନରେ ପୂଜକ କଣ୍ଟା ଦୋଳିରେ ଝୁଲିବା ସହ ନିଆଁରେ ଚାଲିବେ । ଏହାସହ ଚରୁ ବିତରଣ କରାଯିବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ ଶିବିର, ମାଗଣା ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଛି । ରେଳ ଷ୍ଟେସନରୁ ବସ ଷ୍ଟାଣ୍ଡରୁ ନେବା ଆଣିବା ପାଇଁ ମାଗଣା ବସ୍ ସେବା ବ୍ୟବସ୍ଥା ହୋଇଛି ।