ଶ୍ରାବଣ ମାସ ପ୍ରଥମ ସୋମବାରରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ବର: ବୋଲ୍ ବମ୍ ହରହର ବମ୍, ଓଁ ନମଃଶିବାୟ ଧ୍ୱନିରେ ଉଛୁଳି ଉଠୁଛି ସମସ୍ତ ଶୈବ ପୀଠ । ଶିବ ଭକ୍ତଙ୍କ ଗହଳି ଲାଗିଛି । କାହା କାନ୍ଧରେ କାଉଡ଼ି ତ କାହା ହାତରେ ଜଳପୂର୍ଣ୍ଣ ଲୋଟା । ଏପଟେ ରାସ୍ତାରେ ଓ ନଦୀରେ ବି କାଉଡ଼ିଆଙ୍କ ଗହଳି । କାରଣ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାପ୍ରଭୁ ଭୋଳା ଶଙ୍କରଙ୍କ ମସ୍ତକରେ ଜଳଲାଗି କରିବା ପାଇଁ କେତେ କେତେ ଦୂରରୁ ଖାଲି ପାଦରେ ଚାଲି ଚାଲି ଛୁଟି ଆସିଛନ୍ତି ଭକ୍ତ । କିଏ ମାନସିକ ପୁରଣ ପରେ ତ ଆଉ କେହି ମାନସିକ ରଖି ଛୁଟି ଚାଲିଥିଲେ ପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ ।
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରିବେ କାଉଡି଼ଆ ।
ସେହିପରି ବାବା ଧବଳେଶ୍ୱର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଛି । କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସେପଟେ ଆଜି ପ୍ରଥମ ସୋମବାର ଥିବାରୁ ପୁରୀ ବେଳାଭୂମିରେ ବାଲୁକଶିଳ୍ପୀଙ୍କ ଦ୍ବାରା ସୁନ୍ଦର ବାଲୁକା କଳା ନିର୍ମାଣ କରାଯାଇଛି । ଶିବଙ୍କ ବିଶାଳ ପ୍ରତିମୂର୍ତ୍ତି ସହ ଶିବଲିଙ୍ଗ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।