ଦର୍ଶନ ଦେଲେ ବାବା ଧବଳେଶ୍ବର, ସୁରକ୍ଷା ପାଇଁ ମୁତୟନ ୧୦ ପ୍ଲାଟୁନ ପୋଲିସ ଫୋର୍ସ

ଆଠଗଡ଼: ମହାପଞ୍ଚକ ପାଇଁ ଚଳଚଞ୍ଚଳ ଆଠଗଡ଼ର ଧବଳେଶ୍ବର ପୀଠ । ରାତି ୩ଟାରୁ ପହଡ଼ ଖୋଲାଯାଇ ସ୍ନାନ ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହା ପରେ ଖେଚୁଡ଼ି ଭୋଗ ଲାଗି କରାଯାଇ ଦ୍ବାର ଫିଟାଯାଇଛି ।

ଝୁଲା ପୋଲ ବିପଦଜ୍ଜନକ ଅବସ୍ଥାରେ ରହିଥିବାରୁ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା ଲଗାଯାଇଛି । ଫଳରେ ଚଳିତବର୍ଷ ଭକ୍ତଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଭର୍ଚ୍ଚୁଆଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ରାସ୍ତା ପାର୍ଶ୍ବର ଧବଳେଶ୍ଵରଙ୍କ ଫାଟକ ନିକଟରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଠରେ ୧୪୪ ଧାରା ଲାଗିଛି ।

୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୬ ଜଣ ଏସଡିପିଓ ଓ ୧୨ ଆଇଆଇସି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।