ଶ୍ରୀମନ୍ଦିରରେ ମା’ଲକ୍ଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହେଲେ ଶ୍ରଦ୍ଧାଳୁ, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହୋଇ ପଡ଼ିଥିଲେ ଭକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପାକି ଦିବାକର। ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ୫୦ ବର୍ଷୀୟ ପାକି ଦିବାକର। ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମାଆ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଯାଇଥିଲେ ।
ତେବେ ଲକ୍ଷ୍ମୀ ମନ୍ଦିର ନିକଟରେ ହଠାତ୍ ଗଳି ପଡ଼ିଥିଲେ ଦିବାକର । ଏହାପରେ ତାଙ୍କ ପରିବାର ଲୋକ ପୋଲିସର ସହାୟତା ନେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ଦିବାକରଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଆମ୍ବୁଲାନ୍ସରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଦିବାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।