ଚକା ଆଖି ନଦେଖି ଶ୍ରୀମନ୍ଦିର ସମ୍ମୁଖରୁ ନିରାଶ ହୋଇ ଫେରୁଛନ୍ତି ଭକ୍ତ

Shree Mandir

ପୁରୀ: ଦୀର୍ଘ ୯ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଏବେ ସାଧାରଣ ଭାବେ ଏହାକୁ ଖୋଲିଦିଆଯାଇଛି । ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜିଛି । ମନ୍ଦିର ଭିତରକୁ ସବୁଙ୍କୁ ଅନୁମତି ଥିଲେ ମଧ୍ୟ ସଂହଦ୍ୱାରରୁ ନିରାଶ ହୋଇ ଫେରୁଛନ୍ତି ଭକ୍ତ ।

କାରଣ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା ଭକ୍ତଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କ ପାଖରେ କୋଭିଡ୍‌ ରିପୋର୍ଟ ନାହିଁ ସେମାନଙ୍କୁ ମନ୍ଦିର ଭିତରକୁ ଅନୁମତି ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେଣୁ ଅନେକ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳୁନାହିଁ । ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁରୀରେ ବାହାର ଲୋକଙ୍କ ପାଇଁ କୋଭିଡ୍ ପରୀକ୍ଷା ନେଇ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।

କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ବହୁ ଭକ୍ତ ରିପୋର୍ଟ ନଆଣି ଦର୍ଶନରୁ ବଞ୍ଚି ହେଉଛନ୍ତି । ତେଣୁ ପ୍ରଶାସନ କୋଭିଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଇଛି । ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ପରି ପୁରୀରେ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରିବାକୁ ଭକ୍ତ ଦାବି କରିଛନ୍ତି ।

ଭକ୍ତଙ୍କ ଦାବିକୁ ସମର୍ଥନ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ପ୍ରଶାସନ ଭକ୍ତଙ୍କ ସୁବିଧା ପାଇଁ କୋଭିଡ ପରୀକ୍ଷା ବ୍ୟବସ୍ଥା କରିବାକୁ ସେବାୟତ ଦାବି କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମନ୍ଦିର ଉନୟନ ପ୍ରଶାସକ କହିଛନ୍ତି ।

Leave a Reply