ପିଶାଚୀ ମାଆ; ପ୍ରେମିକ ସହ ମିଶି ଶିଶୁପୁତ୍ରକୁ ମାରିଦେଲା

କେନ୍ଦ୍ରାପଡ଼ା: ମାଆ ସାଜିଲା ପିଶାଚୀ । ପ୍ରେମିକ ସହ ମିଶି ଶିଶୁପୁତ୍ରକୁ ମାରିଦେଲା ଜନ୍ମଦାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମାଟିଆପଡ଼ା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ପ୍ରେମିକ ସହ ସଂସାର ଗଢ଼ିବାକୁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଛି ମାଆ । ଅଭିଯୋଗ ଅନୁସାରେ, ମାଟିଆପଡ଼ା ଗାଁରେ ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଗୋପ୍ତିରା ଗାଁର ଲକ୍ଷ୍ମୀଧର ବାଇ ।

ସଂପୃକ୍ତ ମହିଳା ପୂର୍ବରୁ ମଧ୍ୟ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ବାମୀ ବିଦେଶରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ୩ଟି ସନ୍ତାନ ରହିଥିଲେ । ପିଲାକୁ ଟ୍ୟୁସନ କରିବାକୁ ଆସି ମହିଳାଙ୍କ ସହିତ ଲକ୍ଷ୍ମୀଧରଙ୍କର ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ । ପରେ ଉଭୟ ଅନ୍ୟତ୍ର ପଳାଇଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇ ଛୁଆ ବଡ଼ ହୋଇଥିବାରୁ ସେମାନଙ୍କୁ ଛାଡ଼ି ଚାଲିଯିବାକୁ ମନସ୍ଥ କରିଥିଲେ ।

ମାତ୍ର ସେମାନଙ୍କୁ ଟେନସନ ଦେଇଥିଲା ଅଢେଇ ବର୍ଷର ଶିଶୁ । ଏଣୁ ତାକୁ ରାସ୍ତାରୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ । ଶେଷରେ ଶିଶୁପୁତ୍ରକୁ କଚାଡ଼ି ହତ୍ୟା କରିଥିଲେ ମାଆ ଓ ସଂପୃକ୍ତ ଯୁବକ । ହତ୍ୟା ପରେ ଶିଶୁକୁ ପୋତି ଦେଇଥିଲେ । ପରେ ପୁଅ ନମିଳିବା ପରେ ସନ୍ଦେହ ଘେରକୁ ଆସିଥିଲେ ମହିଳା ଓ ଯୁବକ । ପୋଲିସର ପଚରାଉଚରା ପରେ ସତ ସାମ୍ନାକୁ ଆସିଛି । ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।