ନନ୍ଦିଘୋଷ ବ୍ୟୁରୋ : ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥ। ୭୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଜନ୍ମିତ ଦେବୀ ପ୍ରସାଦ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭୋର ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ । ଜଣେ ଉଚ୍ଚକୋଟୀର କଳାକାର ଥିଲେ ଦେବୀ ପ୍ରସାଦ । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଛନ୍ତି । ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ଅନେକ ଅପେରା ପାର୍ଟିରେ କାମ କରିଛନ୍ତି । ତାଙ୍କର ଅଭିନୟରେ ଦର୍ଶକ କାନ୍ଦିଛନ୍ତି, ହସିଛନ୍ତି, ଭାବବିହ୍ୱଳ ହୋଇଛନ୍ତି, ପ୍ରେମରେ ପଡିଛନ୍ତି ଆଉ ଭିଜିଛନ୍ତି ଏବଂ ମଜିଛନ୍ତି । ଆଜି ତାଙ୍କ ବିୟୋଗରେ ଯାତ୍ରା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

