ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଫଡନାଭିସ୍‌, କାଲି ଶପଥ ଗ୍ରହଣ ସମ୍ଭାବନା

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଫଡନାବିସ୍ ରିଟର୍ଣ୍ଣସ୍ । ସରକାର ଗଢ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ମହା’ନାଟକ’ର ଆରମ୍ଭ ହୋଇଛି କ୍ଲାଇମାକ୍ସ ସିନ୍ । ୪୮ ଘଣ୍ଟାରେ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ ! ୧୨ ବିଦ୍ରୋହୀ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଉଦ୍ଧବଙ୍କ ଇମୋସନାଲ ଇସ୍ତଫା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାବିସ୍ । ପ୍ରଥମ ପର୍ଯ୍ୟାୟରେ କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । ଶପଥ ଗ୍ରହଣ ବେଳେ ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଏହି ସମୟରେ ମନ୍ତ୍ରୀମଣ୍ଡଳକୁ ନେଇ ଘୋଷଣା ହେବ । ସିନ୍ଦେ ଗୋଷ୍ଠୀର ୧୨ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଫଡନାବିସଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ବିଜେପି ନେତାଙ୍କ ଭିଡ଼ ଜମୁଥିବେ ବେଳେ ଆଗାମୀ ରଣନୀତି ନେଇ ଆଲୋଚନା ହେବ ।

ସେପଟେ ଗୋଆରେ ବିଦ୍ରୋହୀ ବିଧାୟକଙ୍କ ସହ ବୈଠକ କରିବେ ଏକନାଥ ସିନ୍ଦେ । ଏହାସହ ଦିନ ସାଢ଼େ ୧୨ଟା ସୁଦ୍ଧା ସିନ୍ଦେ ମୁମ୍ବାଇରେ ପହଞ୍ଚିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । କିଛିଦିନ ଧରି ମହାରାଷ୍ଟ୍ର ମେଣ୍ଟ ସରକାରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ନୈତିକତା ଦୃଷ୍ଟିରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଶିବସେନା ପାଓ୍ୱାର ପାଇଁ ଜନ୍ମ ନେଇନି, ପାଓ୍ୱାର ଶିବସେନା ପାଇଁ ଜନ୍ମ ନେଇଛି ବୋଲି ରାଉତ କହିଛନ୍ତି । ଏହାସହ ଆସନ୍ତାକାଲି ସେ ଇଡିରେ ହାଜର ହେବେ ବୋଲି କହିଛନ୍ତି ।