ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର…
1 min read
ଭୁବନେଶ୍ୱର: ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ । କରୋନା ମହାମାରୀ ଯୋଗୁଁ ପ୍ରାୟ ଅଢ଼େଇ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ । ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂରେ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଓ ଭୁବନେଶ୍ୱରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଲକ୍ଡାଉନ୍ କାରଣରୁ ଉନ୍ନୟନ କାର୍ଯ୍ୟ ଦୁଇ ମାସ ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ଚଳିତ ମାସ ୨୯ ପୁନର୍ବାର ଆରମ୍ଭ କରାଯିବ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କାର୍ଯ୍ୟସମୟରେ ସାମାଜିକ ଗୁରୁତ୍ୱ ଏବଂ ଅନ୍ୟ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ, ଶ୍ରୀସେତୁ, ଶ୍ରୀ ଜଗନ୍ନାଥ ବହ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଏବଂ ମୁଷା ନଦୀର ସମ୍ପ୍ରସାରଣ ଆଦି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି । ଅଧିକାଂଶ ଜମି ଅଧିଗ୍ରହଣ ସରିଥିବା ବେଳେ ଅଳ୍ପ କେତକର ଅଧିଗ୍ରହଣ ବାକି ରହିଛି । ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଏହି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଥିସହ ପୁରୀ ବଡ଼ ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ଶ୍ରୀମନ୍ନିର ପ୍ରଶାସନ ବିଲ୍ଡିଂର ପୁନର ବିକାଶ ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଉଛି ।
ଅନୂରୁପ ଭାବେ ଲିଙ୍ଗରାଜ ମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ବୈଠକରେ ଗୁରୁତର ଆଲୋଚନା କରାଯାଇଛି । ଏନେଇ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍ଶୀଘ୍ର ସରିବ । ବିଶେଷ କରି ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏସମ୍ପର୍କିତ ସମସ୍ତ କାର୍ଯ୍ୟପାଇଁ ଯୋଜନା ଓ ଡିଜାଇନ୍ ପ୍ରସ୍ତୁତ ସରିଛି । ବିନ୍ଦୁ ସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାର ଗୁଣାତ୍ମକମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କର ଭାରତୀୟ ରସାୟନ ପ୍ରତିଷ୍ଠାନ (ICI) ସହିତ ଖୁବ୍ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଷନ୍ କୁମାର ଏବଂ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ଉପସ୍ଥିତ ଥିଲେ ।