ବିଜେପି ସରକାର ଆସିବା ପରଠୁ ଗ୍ରାମାଞ୍ଚଳରେ ବିଶକା କାମ ଠପ୍, ଗାଁ ରାସ୍ତାରେ ପଡ଼ିନି ମୁଠାଏ ମାଟି

1 min read

ନନ୍ଦିଘୋଷ ବ୍ୟୁରୋ: ଗ୍ରାମାଞ୍ଚଳରେ ବିକାଶ କାମ ଠପ ହୋଇପଡିଛି । ରାସ୍ତାଘାଟରୁ ଆରମ୍ଭ କରି ବ୍ରିଜ, ସବୁ କାମ ଅଧପନ୍ତରିଆ ଭାବେ ପଡିରହିଛି । ଗାଁରେ ଉନ୍ନୟନ କାମ ଠିକ ଭାବେ ହେଉ ନଥିବାରୁ ବିଧାନସଭା କମିଟିରେ ଉଦବେଗ ପ୍ରକାଶ ପାଇଛି । ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ବର୍ଷକୁ ୩୦ କିମି ରାସ୍ତା ନିର୍ମାଣ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ମୁଖ୍ୟ ବିରୋଧୀ ବିଜେଡି କହିଛି, ବିଜେପି ସରକାର ଆସିବା ଦିନଠୁ ଗାଁରେ ମୁଠାଏ ମାଟି ପଡିନାହିଁ । ସରକାର ବଜେଟ ଅର୍ଥ ବି ଖର୍ଚ୍ଚ କରିପାରୁ ନଥିବା ଦଳ ଅଭିଯୋଗ କରିଛି । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ ।

ଦେଢ ବର୍ଷର ବିଜେପି ଶାସନରେ ଗାଁ ବିକାଶ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗ୍ରାମାଞ୍ଚଳ ବିକାଶକୁ ତ୍ବାରନ୍ବିତ କରିବାକୁ ବିଧାନସଭା କମିଟି ବୈଠକରେ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଜରିଆରେ ୨୦୨୫-୨୬ ଆର୍ଥିକ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏଯାଏଁ ମାତ୍ର ୩୫.୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୩୬୩.୩୬ କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ  ମାତ୍ର ୪୮.୭୪ କିଲୋମିଟର ରାସ୍ତା କାମ ସରିଛି । ଗ୍ରାମାଞ୍ଚଳ ବିକାଶ କାମ ଧିମେଇ ଯାଇଥିବାର ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି ।  ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ବିଜେପି ସରକାର ସମୟରେ ଗାଁରେ ଏଯାଏଁ ମୁଠାଏ ମାଟି ପଡିନାହିଁ । ରାସ୍ତାଘାଟ ଅବସ୍ଥା ନକହିଲେ ଭଲ । ସରକାରଙ୍କ ଅପାରଗତା ଯୋଗଁ ବଜେଟ ଅର୍ଥ ବି ଠିକ ସେ ଖର୍ଚ୍ଚ ହୋଇପାରୁନାହିଁ । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଅଭିଯୋଗ କରି କହିଛନ୍ତି ବିକାଶ କାମ ଠପ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ହୋଇ ଯାଇଛି । ଯଦି ପୂଜା ପୂର୍ବରୁ ରାସ୍ତାଘାଟ କାମ କରା ନଯିବ ଏ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବ ବୋଲି ଚେତାବନୀ ଦେଇଛି ।

ବିଧାନସଭା କମିଟିର ଉଦବେଗକୁ ସ୍ବୀକାର କରିଛନ୍ତି କମିଟିର ଅଧ୍ୟକ୍ଷ ଜୟ ନାରାୟଣ ମିଶ୍ର । ପୂଜା ପୂର୍ବରୁ କାମ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର ବଜେଟ ପରେ ବଜେଟ ଆଣୁଛନ୍ତି । ହେଲେ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଗାଁରୁ ସହର ଯାଏଁ ବିକାଶକାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସରକାର ଠିକ ସେ ଚାଲୁ ନଥିବାରୁ ବଜେଟ ଅର୍ଥ ସଠିକ ଭାବେ ଖର୍ଚ୍ଚ ହୋଇପାରୁନାହିଁ । ସେପଟେ ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନ  ବର୍ଷାକୁ ଦାୟୀ କରିଛନ୍ତି ।