ରାଜଧାନୀ ପ୍ରତିଷ୍ଠା ଦିବସକୁ ପୂର୍ଣ୍ଣ ମର୍ଯ୍ୟଦାର ସହ ପାଳନ ନେଇ ଉନ୍ନୟନ କମିଶନର ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୩ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସଭା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟଦା ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସସ୍କୃତି ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବିଏମସି), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ କମିଶନରେଟ୍ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଣ୍ଟିକା ସମୟରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।

ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବିନ୍ଦ୍ର ପଣ୍ଡପଠୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ହେଉଥିବାରୁ ଏହାକୁ ଏକ ମହୋତ୍ସବଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବିଏମ୍‌ସିଙ୍କୁ ପରାମର୍ଶ ଦେଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଏମସି କମିଶନର ସଞ୍ଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଳା, ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସମ୍ପୃକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ସନ୍‌ତ ମିଶ୍ର, ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସମ୍ପର୍କିତ ସବିଶେଷ ସୂଚନା ଦେଇଥିଲେ ।