ସରିଲା ଶ୍ରୀଜିଉଙ୍କ ସ୍ନାନ ନୀତି, ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି

1 min read

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ସରିଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି | ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ଥ ନୀତିକାନ୍ତିକୁ ଶେଷ କରିଛନ୍ତି ସେବାୟତ ।  ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଭକ୍ତ-ଭଗବାନ ଏକାକାର । ବଡ଼ଦାଣ୍ଡ ଜନସମୁଦ୍ର । ଘଣ୍ଟ ଘଣ୍ଟା, ମୃଦଙ୍ଗ, କାହାଳୀ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ପରିବେଶ । ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ଭୋର ୩ଟା ୩୦ରେ ମଙ୍ଗଳାର୍ପଣ ପରେ ୪ଟା ୪୫ରେ ହୋଇଥିଲା ମଙ୍ଗଳାର୍ପଣ ନୀତି । ବିଜେ କାହାଳୀ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ । ମଦନମୋହନ ବିଜେ ପରେ ସକାଳ ୮ଟା ୫ରେ ସ୍ନାନବେଦୀରେ ହୋଇଥିଲା ମଙ୍ଗଳ ଆଳତି ।

ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସମେତ ଠାକୁରଙ୍କ ବେଶ ପରେ ୧୦୮ ଗଡ଼ୁ ଜଳ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ମଧ୍ୟାହ୍ନ ୧୨ଟା ୨୦ରେ ଜଳଲାଗି ପୂଜା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସ୍ନାନ । ଶ୍ରୀବଳଭଦ୍ର ୩୩ ଗଡୁ, ଦେବୀ ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ଶ୍ରୀସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଥିଲେ । ସ୍ନାନ ମଣ୍ଡପରେ ରକ୍ତଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଅପରାହ୍ଣ ୪ଟା ୧୫ରେ ଛେରା ପହଁରା ନୀତି କରିଥିଲେ । ଶେଷରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ହାତୀ ବେଶ ।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । କିଏ ଭଜନ ଗାନ କରି ତ କିଏ ଗୀତଗୋବିନ୍ଦର ତାଳେତାଳେ ନୃତ୍ୟ ପରବେଷଣ କରିଥିଲେ । କିଏ ଆଣ୍ଠୁମାଡ଼ି ଠାକୁରଙ୍କ ନିକଟରେ କରୁଥିଲେ ଅଳି । ଅସହ୍ୟ ତାତି ଓ ଗୁଳୁଗୁଳିରେ ସବୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଭକ୍ତ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ରୁ ଉର୍ଦ୍ଧ ପ୍ଲାଟୁନ ଫୋର୍ସ ସହ ୨୦୦ରୁ ଉର୍ଦ୍ଧ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହେବେ। କାଲିଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବାକୁ ଥିବାବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ।