ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ଉଦ୍ୟମ

କଟକ: ଯାଜପୁର ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରିବା ବେଳେ ରାକେଶ ଟିକାୟତଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ଫଳରେ ଗୁରୁଦ୍ୱାର ସମ୍ମୁଖରେ ପ୍ରାୟ ଅଧ ଘଣ୍ଟା ଧରି ଆତଙ୍କ ଲାଗି ରହିଥିଲା ।
ରାକେଶ ଟିକାୟତ ଗୁରୁଦ୍ୱାରରୁ ଦର୍ଶନ କରି ଫେରିବା ବେଳେ ଦେବ ସେନା କର୍ମୀ ବିରୋଧ କରିଥିଲେ । ଦେବ ସେନା କର୍ମୀ ଗାଡ଼ି ଟିକାୟତଙ୍କ ଗାଡ଼ି ଉପରକୁ ପଥର ଫୋପାଡ଼ି ଥିବା ଅଭିଯୋଗ ହୋଇଛି । ଟିକାୟତଙ୍କ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।
ମାଲଗୋଦାମ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଦେବ ସେନା କର୍ମୀ ଅଭିନାଶ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।