ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି
ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ୩ଦିନ ଧରି ଚାଲିବ । ମାର୍ଗଶିର ମାସ ଚତୁର୍ଦ୍ଦଶୀ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରାଯାଏ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ପର୍ଯ୍ୟନ୍ତ ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦିଆଯାଇଛି । ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ପରେ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହି ୩ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଛନ୍ତି । ଏହା ସହ ଏହି ୩ ଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ କରାଯିବ ବିଧି ରହିଛି । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ ।