ଦେବ ଦୀପାବଳି ଶୁଭାରମ୍ଭ ସହ କାଶି ବିଶ୍ୱନାଥ ମନ୍ଦିର ଓ୍ୱେବ୍‌ସାଇଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରାଣାସୀ: ବାରଣାସୀରେ ଦେବ ଦୀପାବଳି ମହୋତ୍ସାବ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚି ପ୍ରଥମ ଦୀପ ଜାଳି ଦେବ ଦୀପାବଳିକୁ ଶୁଭାରମ୍ଭ କରିଥିଲେ । ଏହା ସହିତ କାଶି ବିଶ୍ୱନାଥ ମନ୍ଦିର ଓ୍ୱେବ୍‌ସାଇଟ୍‌କୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମେ ବାରଣାସୀରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ମୋଦି ନୂତନ କୃଷି ଆଇନକୁ ନେଇ ଉଠିଥିବା ବିରୋଧ ବିଷୟରେ କହିଥିଲେ । କିଛି ବିରୋଧୀ ଦଳ କୃଷି ଆଇନକୁ ନେଇ ମିଛ ଗୁଜବ ପ୍ରଚାର କରିବା ସହ ଚାଷୀଙ୍କୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୋଦି କହିଛନ୍ତି ।

ଏହା ସହିତ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଚୋରି ବିଷୟରେ ମଧ୍ୟ ମୁହଁ ଖୋଲିଛନ୍ତି ମୋଦି । ୧୦୦ବର୍ଷ ପୂର୍ବେ ଭାରତରୁ ଚୋରି ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଭାରତକୁ ଫେରୁଛି । କାଶୀ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ପୂର୍ବରୁ ଏହି ପ୍ରୟାସ ହୋଇଥିଲେ ଅନେକ ପ୍ରତିମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କିଛି ଲୋକଙ୍କ ପାଇଁ ଉତ୍ତରାଧିକାରୀର ଅର୍ଥ ହେଉଛି ସେମାନଙ୍କର ନିଜ ପରିବାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଯେଉଁ ସମୟରେ ଭାରତ ବିକାଶର ଶିଖର ଛୁଇଁଛି, ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ କାଶିରେ ପଡିଛି ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply