ନିର୍ଭୟା କେସ୍: ଫାଶୀ ଘରେ ତଳେ ଗଡି କାନ୍ଦିଲେ ଦୋଷୀ…ଜାଣନ୍ତୁ ପୁରା ଖବର

ନୂଆ ଦିଲ୍ଲୀ: ଆଜି ସମଗ୍ର ଭାରତ ପାଳୁଛି ନିର୍ଭୟା ଦିବସ । ୭ ବର୍ଷ ୩ ମାସ ୪ ଦିନ ପରେ ନିର୍ଭୟାର ୪ ଦୋଷୀଙ୍କୁ ଶେଷରେ ଆଜି ଫାଶି ଦିଆଯାଇଛି। ଆଜି ଏହି ୪ ଦୋଷୀ ପୱନ ଗୁପ୍ତା, ବିନୟ ଶର୍ମା, ମୁକେଶ ସିଂ ଏବଂ ଅକ୍ଷୟ କୁମାର ସିଂଙ୍କୁ ତିହାର ଜେଲରେ ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ପାଖାପାଖି ୮ ବର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ଶେଷରେ ଦୋଷୀଙ୍କ ସବୁ ଚାଲ୍‌ ଫେଲ୍ ହୋଇଥିଲା। ପୂରଣ ହେଲା ଆଶା ଦେବୀଙ୍କ ଆଶା । ତେବେ ମୃତ୍ୟୁଦଣ୍ଡ ପୂର୍ବରୁ ଜେଲରେ କ’ଣ ଘଟିଥିଲା ଜାଣନ୍ତୁ ।

ସୂଚନାଯୋଗ୍ୟ ଯେ, ସକାଳ ତିନିଟାରେ ସେମାନଙ୍କୁ ଉଠାଯାଇଥିଲା । ରିପୋର୍ଟ ଅନୁସାରେ ଏହି ଚାରିଜଣ ରାତିସାରା ଶୋଇ ପାରିନଥିଲେ । ସକାଳ ପ୍ରାୟ ୩ରେ ସେମାନଙ୍କୁ ଚା ’ଦିଆଯାଇଥିଲା, କିନ୍ତୁ ସମସ୍ତେ ଚା’ ପିଇବାକୁ ମନା କରିଦେଇଥିଲେ। ଏହା ସହ ସେମାନେ ଜଳଖିଆ ଖାଇବାକୁ ମଧ୍ୟ ମନା କରିଦେଇଥିଲେ। ଏହା ପରେ, ଚାରିଜଣଙ୍କୁ କଳା ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ପରେ ସମସ୍ତଙ୍କ ହାତ ପଛକୁ ବନ୍ଧା ହୋଇଥିଲା । ଏହି ସମୟରେ ୨ ଜଣ ଦୋଷୀ ହାତ ବାନ୍ଧିବାକୁ ମନା କରିଦେଇଥିଲେ । କିନ୍ତୁ ପରେ ପୋଲିସ୍ ସାହାଯ୍ୟରେ ସେମାନଙ୍କ ହାତ ବନ୍ଧା ହୋଇଥିଲା। ଫାଶୀ ଘରେ ପହଞ୍ଚିବା ପରେ ଚାରିଜଣ ଦୋଷୀ ତଳେ ପଡ଼ିଯାଇଥିଲେ। ସେମାନେ କାନ୍ଦିବା ସହ କ୍ଷମା ମାଗିବା ଆରମ୍ଭ କରିଥିଲେ। ପରେ ତାଙ୍କୁ ଜେଲ ଅଧିକାରୀଙ୍କ ସହାୟତାରେ ନିଆଯାଇଥିଲା। ଏହା ପରେ ସତର୍କତାର ସହ ଚାରିଜଣ ଅପରାଧୀଙ୍କ ବେକରେ ଦଉଡି ଗଣ୍ଠି ବନ୍ଧାଯାଇଥିଲା। ପରେ ଡାକ୍ତର ଏହି ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ।

ସକାଳ ୬:୪୦ରେ  ପରିବାରକୁ ଦୋଷୀଙ୍କ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା ।ଫାଶୀ ପରେ ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ । ଚାରିଜଣଙ୍କ ମୃତଦେହର ଶବ ବ୍ୟବଚ୍ଛେଦ ପାଇଁ ଦିନଦୟାଲ ହସ୍ପିଟାଲକୁ ନିଆଯାଇଥିଲା । ଏହା ସହ ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫ ମଧ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ, ଫାଶୀ ପରେ ମୃତ ଦେହର ଶବ ବ୍ୟବଚ୍ଛେଦ କରିବା ଆବଶ୍ୟକ।

ନିର୍ଭୟାଙ୍କ ପିତା କହିଛନ୍ତି ଯେ, ନ୍ୟାୟ ପାଇଁ ତାଙ୍କର ଅପେକ୍ଷା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଏଥିପାଇଁ ସେ ନିବେଦନ କରିଛନ୍ତି ଯେ, ଆଜିର ଦିନ ନିର୍ଭୟା ତଥା ‘ନ୍ୟାୟ ଦିବସ’ ଭାବରେ ପାଳନ କରାଯିବା ଉଚିତ୍। ନିର୍ଭୟାଙ୍କ ମାତା ଆଶା ଦେବୀ, ଦୋଷୀମାନଙ୍କୁ ଫାଶୀ ଦିଆଯିବା ପାଇଁ ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ସଂଗ୍ରାମ କରିଆସୁଥିଲେ । ସେ କହିଛନ୍ତି ଯେ, ତାଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ ଏବଂ ସେ ଆଉ ଫେରିବ ନାହିଁ। ସେ ଚାଲିଯିବା ପରେ ସେମାନେ ଏହି ସଂଗ୍ରାମ ଆରମ୍ଭ କରିଥିଲେ । ଏତେ ସଂଘର୍ଷ କରିବା ପରେ ଶେଷରେ ତାଙ୍କ ଝିଅ ନ୍ୟାୟ ପାଇଛି ।

ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ କହିଛନ୍ତି ଯେ, ଚାରିଜଣ ଦୋଷୀଙ୍କୁ ସକାଳ ୫:୩୦ରେ ଫାଶୀ ଦିଆଯାଇଥିଲା। ଏହାପୂର୍ବରୁ ତିହାର ଜେଲ ବାହାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ତିହାର ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ, ଦୋଷୀ ଏପି ସିଂଙ୍କ ପରାମର୍ଶଦାତା କୋର୍ଟକୁ ଅନୁରୋଧ କରିଛନ୍ତି ଯେ ଦୋଷୀମାନଙ୍କୁ ଶେଷ ଥର ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ୫ ରୁ ୧୦ ମିନିଟ୍ ସମୟ ଦିଆଯାଉ। ହେଲେ ସୁପ୍ରିମକୋର୍ଟ ଏଥିପାଇଁ ମନା କରିଦେଇଥିଲେ । ଏହା ସହ ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଜେଲ ନିୟମ ଏହା ଅନୁମତି ଦିଏ ନାହିଁ ଏବଂ ଏହା ଉଭୟ ପକ୍ଷ ପାଇଁ ଦୁଃଖଦ ହେବ ।

ନିର୍ଭୟାଙ୍କ ମାଆ ସନ୍ତୁଷ୍ଟ ଅନୁଭବ କରି କହିଛନ୍ତି ଯେ, ତାଙ୍କ ଝିଅ ଶେଷରେ ନ୍ୟାୟ ପାଇଛି। ଏହି ଅପରାଧ ସମଗ୍ର ଦେଶରେ ଲଜ୍ଜିତ ହୋଇଥିଲା ଓ ଆଜି ଦେଶକୁ ନ୍ୟାୟ ମିଳିଛି। ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେଥିପାଇଁ ସେ ସମସ୍ତ ଲୋକଙ୍କୁ ବିଶେଷ କରି ସମାଜ ଏବଂ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି|

Leave a Reply