ହତାଶ ଚାଷୀ ! ବର୍ଷକର ପରିଶ୍ରମର ଫଳ ବାଳୁଙ୍ଗା ଗଛ

Farmer

ଗଞ୍ଜାମ: ଚାଷୀଙ୍କୁ ବାଳୁଙ୍ଗା ଟେନସନ୍ । ଭଲ ଧାନ ଅମଳ ପାଇଁ ଆଶା ରଖିଥିବା ଚାଷୀ ଏବେ ହତାଶ । ନିଜ ଚାଷ ଜମିରେ ବାଳୁଙ୍ଗା ଧାନ ଦେଖି, ଚଷା ପୁଅର ଅଣ୍ଟା ଭାଙ୍ଗି ପଡିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ସବୁ ଧାନ ଫଳସ ଏବେ ବାଳୁଙ୍ଗାରେ ପରିଣତ ହୋଇଛି । ଫଳରେ ବର୍ଷ ଜାକର ପେଟପାଟଣାକୁ ନେଇ ଚିନ୍ତାରେ ପଡିଛି ଚାଷୀ ।

କରୋନା କଟକଣା ଆଉ ସ୍ୱଳ୍ପ ବର୍ଷାରେ ବି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିଲା ଚାଷୀ । ଭାବିଥିଲା ଅମଳ ପରେ ଋଣ ସୁଝିବ, ପରିବାରର ପେଟ ପୋଷିବ । ହେଲେ ଅମଳ ବେଳ ସବୁ ଆଶା ପାଣିରେ ମିଳେଇଗଲା । ବିଲରେ ଧାନ ପରିବର୍ତ୍ତେ ଦେଖିବାକୁ ମିଳିଛି ବାଳୁଙ୍ଗା । ଆଉ ସେହି ବାଳୁଙ୍ଗା ଦେଖି ଏବେ ମୁଣ୍ଡରେ ହାତ ଦେଇଛି ଚଷା ପୁଅ । ଏଭଳି ସ୍ଥିତିରେ କୃଷି ବିଭାଗ ପକ୍ଷରୁ କ୍ଷତିପୁରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀକୂଳ ।

ବାଳୁଙ୍ଗା ଧାନ ଯୋଗୁ ପୁରୁଷୋତ୍ତମପୁର ବ୍ଲକର ଖୋସଳାପଲ୍ଲୀ, ପିଛୁଳି, ସାହାପୁର ଭଳି ଅନେକ ଗାଁର ଚାଷୀ ଏବେ ହତାଶ । ତେବେ ଧାନ ବିହନରେ ତୃଟି ଯୋଗୁ ଚାଷୀ ଏଭଳି ଦଶା ଭୋଗିଥିବା ଅଭିଯୋଗ ହୋଇଛି । ବାଳୁଙ୍ଗା ହୋଇଥିବା ଚାଷ ଜମି ଗୁଡିକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରାଯିବ ଓ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଚାଷୀଙ୍କ ସ୍ୱାର୍ଥକୁ ଦଷ୍ଟିରେ ରଖି ସରକାର ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply