ଦେଶୀ ମଦ ମାଫିଆଙ୍କ ଭୂ-ସ୍ୱର୍ଗ ସୁର୍କାବାଡ଼ି, ଗାଁ ଲୋକଙ୍କ ଗୁହାରି ଶୁଣୁନି ପୋଲିସ

Liquor

ସୁନାଖଳା: ଖୁଲମ ଖୁଲା ଚାଲିଛି ବେଆଇନ୍‌ ଦେଶୀ ମଦ ବ୍ୟବସାୟ । ଗାଁ ଭିତରେ ସୃଷ୍ଟି ହେଉଛି ଦର୍ଗନ୍ଧମୟ ପରିବେଶ । ଏମିତିକି ଦେଶୀ ମଦ ପ୍ରସ୍ତୁତି ପରେ ଏହାର ଓ୍ୱେଷ୍ଟେଜ୍‌ ଲୋକଙ୍କ ଜମିରେ ମାଡ଼ୁଛି । ଫସଲ ତଥା ମୂଲ୍ୟବାନ ଗଛ ବି ନଷ୍ଟ ହେଉଛି । ହେଲେ ଏତେ ସବୁ ପରେ ବି ଲୋକ ଚୁପ୍‌ । କାରଣ ସମସ୍ତଙ୍କ ମନରେ ରହିଛି ଜୀବନ ଚାଲିଯିବାର ଭୟ । ଏହି ବେଆଇନ୍‌ ଦେଶୀ ମଦ କାରଖାନାକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି । ପୂର୍ବରୁ ଏହା ବିରୋଧରେ କହି, କିଛି ସଚେତନ ଯୁବକ ହଇରାଣ ହୋଇଥିବା ନଜିର ରହିଛି ।

ଯଦି କୌଣସି ଯୁବକ ଏହି ବେଆଇନ୍‌ ଦେଶୀ ମନ କାରଖାନା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି । ତେବେ ଏହି କାରଖାନାର ମାଲିକାଣି ତାଙ୍କୁ ଜୀବନରୁ ମାରିଦେବାକୁ ସିଧାସଳଖ ଧମକ ଦିଅନ୍ତି ନଚେତ୍‌ ରେପ୍‌ କେସ୍‌ ଲଗାଇ ଜେଲ୍‌ ପଠାଇବାକୁ ଡରାନ୍ତି । ଏମିତିକି ସେ କୁହନ୍ତି ଯେ, ‘ପୋଲିସ ପ୍ରଶାସନଠାରୁ ଅବକାରୀ ବିଭାଗ ପର୍ଯ୍ୟନ୍ତ, ସମସ୍ତଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ନିଜ ମୁଠାରେ ରଖିଛି । ମୋର କେହି କିଛି କରିପାରିବେନି । ଯଦି ମୋ ସହ କିଏ ଲାଗିବ ତେବେ ପୋଲିସ ତାକୁ ଆଗ ଧରିବ ।’

ଅଭିଯୋଗ ଅନୁଯାୟୀ, ରାଜସୁନାଖଳା ଅନ୍ତର୍ଗତ ସୁର୍କାବାଡ଼ି ଗାଁର ମଞ୍ଜୁ ମଣ୍ଡଳ ବିଗତ କିଛି ବର୍ଷ ହେବ ବେଆଇନ ଭାବେ ନିଜ ଘରେ ଚୋରା ଦେଶୀ ମଦ ତିଆରି କରୁଛନ୍ତି । ହେଲେ ପୋଲିସ ତାଙ୍କୁ କିଛି କହୁ ନାହିଁ । ମଦ ତିଆରି କରି ଗାଁ ପରିବେଶକୁ ନଷ୍ଟ କରୁଛନ୍ତି । ଏହାକୁ ଗ୍ରାମବାସୀ ବିରୋଧ କଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ଅବକାରୀ ବିଭାଗ ଶୁଣିବାକୁ ନାରାଜ । ଯେତେ ଅଭିଯୋଗ ହେଲେ ବି ଫଳ ଶୂନ ।

ପୂର୍ବରୁ ବେଆଇନ୍ ମଦ ତିଆରି ଅଭିଯୋଗରେ ମଞ୍ଜୁଙ୍କୁ ପୋଲିସ ଅନେକ ଥର ଗିରଫ କରିଛି । ହେଲେ ସେହି ଗିରଫ କେବଳ ନାଁକୁ ମାତ୍ର । ତୁରନ୍ତୁ ମଞ୍ଜୁଙ୍କୁ ଜାମିନ ମିଳିଯାଉଛି । ଜେଲରୁ ମୁକୁଳିବା ପରେ ମଞ୍ଜୁ ପୁଣି ସେହି ଚୋରା ମଦ ବ୍ୟବସାୟ ଆରମ୍ଭ କରୁଛନ୍ତି । ଗ୍ରାମବାସୀଙ୍କ ମଞ୍ଜୁଙ୍କ ଅତ୍ୟାଚାରେ ଅତିଷ୍ଟ ହୋଇପଡ଼ିଲେଣି । ଗ୍ରାମବାସୀଙ୍କ କହିବାନୁଯାୟୀ, ଉକ୍ତ ମହିଳା ସ୍ଥାନୀୟ ପୋଲିସକୁ ଓ ସ୍ଥାନୀୟ ସରପଞ୍ଚଙ୍କୁ ପ୍ରତି ମାସରେ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି । ତେଣୁ ପ୍ରଶାସନିକ ସ୍ତରରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

Leave a Reply