ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବ ଡେପୁଟି ମେୟର ନିର୍ବାଚନ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ଶେଷ ହେବ । ବିଜେଡି ପ୍ରାର୍ଥୀ ଡେପୁଟି ମେୟର ହେବା ପ୍ରାୟ ନିଶ୍ଚିତ ।

କାରଣ ନିଗମର ୪୨ଟି ଆସନରୁ ବିଜେଡି ୩୦, ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଡେପୁଟି ମେୟର ପଦ ଆସିବ । ଯଦି ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନ କରନ୍ତି ତେବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ ବିଜେଡି ପ୍ରାର୍ଥୀ । ସେପଟେ ଆସନ୍ତାକାଲି ଭୁବନେଶ୍ବର ମହାନଗର ପାଇଁ ହେବ ଡେପୁଟି ମେୟର ନିର୍ବାଚନ ।