କୋଷ୍ଟାଲ ହାଇୱେ ପ୍ରସଙ୍ଗ; ସନ୍ଦେହ ସତ ହୋଇଥିବା କହିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ପ୍ରଶ୍ନର ଉତ୍ତର ଦେବା ସହ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନୀତିନ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେ କହିଛନ୍ତି ମୁଁ ପ୍ରଥମରୁ ଯେଉଁ ସନ୍ଦେହ କରିଥିଲି ତାହା ଆଜି ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁର ଠାରୁ ଦିଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛି।
ପରିବେଶ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଏକ୍ସପର୍ଟ ଅପ୍ରାଇଜାଲ କମିଟିର ରିପୋର୍ଟ ଅନୁସାରେ ଏହି ନିଷ୍ପତି ହୋଇଛି। ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଏହା ଆରମ୍ଭ ହେବ। କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବ । ରାଜ୍ୟର ପର୍ଯ୍ୟଟନ, ବ୍ୟବସାୟ, ବାଣିଜ୍ୟ ପାଇଁ ଅର୍ଥନୀତିରେ ବିରାଟ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ।
ସେହିପରି ଏହି ପ୍ରସଙ୍ଗରେ ରାଜନୀତିକରଣ କରାନଯାଉ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ଦଳମତ ନିର୍ବିଶେଷରେ ଏନେଇ ଆଲୋଚନା କରି ସମ୍ମିଳିତ ସ୍ୱର ହେବା ଉଚିତ। ଯଦି ଏହି ଘଟଣାରେ ସଭିଏଁ ଏକଜୁଟ ନହୁଅନ୍ତି ଏବଂ ସମ୍ମୀଳିତ ସ୍ବର ପ୍ରକଟ ନକରନ୍ତି ତେବେ ଏହା ଓଡିଶାର ସ୍ବାର୍ଥ ବିରୋଧି ହେବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ନିଜେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।