ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୃଦ୍ଧା : ବିବ୍ୟାଙ୍ଗ ଯୋଗୁଁ ଆଧାର କାର୍ଡ ହୋଇପାରୁନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ

ବଡମ୍ବା : ଆହାର ପାଇଁ ବାଧକ ସାଜିଛି ଆଧାର । ସାହିଲୋକଙ୍କ ସାହାଯ୍ୟରେ ଜଳୁଛି ଜାନକୀଙ୍କ ଗୁଜୁରାଣ । ଜନଶୁଣାଣୀରେ ଗୁହାରି ଶୁଣିଲେନି ଅଧିକାରୀ । ବଡ଼ମ୍ବା ବ୍ଲକ ନିଜିଗଡ଼ ପଞ୍ଚାୟତ ବାସିନ୍ଦା ଜାନକୀ ଗୁରୁ । ବହୁ ବର୍ଷ ହେଲା ସ୍ବାମୀ ଆରପାରିରେ, ଏପଟେ ସେ ଦିବ୍ୟାଜ୍ଞ । ବୟସ ତାଙ୍କର ୮୦ ଛୁଇଁଲାଣି  । ଏତକ ଭିତରେ ବି ତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି ଗରିବୀ । ନୁଆଁଣିଆ ଅଧା ଭଙ୍ଗା ଘରେ ଜରିପାଲ ଢାଙ୍କି ଦିନ କାଟୁଛନ୍ତି ନିରାଶ୍ରୟା ମହିଳା ଜାନକୀ ଗୁରୁ | ନିରକ୍ଷରତା ଏବଂ ଦିବ୍ୟାଙ୍ଗ ସ୍ୱାସ୍ଥ୍ୟ କାରଣରୁ ଆଧାର କାର୍ଡ଼ ହୋଇପାରି ନାହିଁ | ବିନା ଆଧାର କାର୍ଡ଼ରେ ସରକାରୀ ବ୍ୟବସ୍ଥାରେ ପତ୍ର ନହଲିବାର ବ୍ୟବସ୍ଥା ରହିଛି । ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ଼ରେ ନାମ ଥାଇ ମଧ୍ୟ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି ସମ୍ପୃକ୍ତ ମହିଳା | ଜନ୍ମଗତ ପ୍ରମାଣ ପତ୍ର ସହିତ ଅନ୍ୟ ଆନୁସଙ୍ଗିକ କାଗଜ ନଥିବାରୁ ମଧ୍ୟ ଆଧାର କାର୍ଡ଼ ହୋଇପାରୁନାହିଁ। …..

ସାହି ପଡ଼ିଶା ଏବଂ କିଛି ସ୍ବେଛାସେବୀ ପାଳି କରି ସର୍ବନିମ୍ନ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିବାରୁ ଜାନକୀଙ୍କ ଜୀବନ ବଞ୍ଚିଛି | ସେପ୍ଟେମ୍ବର  ୨୩ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଖୋଦ କଟକ ଜିଲ୍ଲାପାଳଙ୍କୁ ଭେଟି ଜାନକୀ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ସର୍ବନିମ୍ନ ଦିନକୁ ଦୁଇଓଳା ଖାଇବାକୁ ସଂଗ୍ରାମ କରୁଥିବା ମହିଳାଙ୍କ ପାଇଁ ଆବାସ ଖଣ୍ଡେ ମିଳିବା ସାତ ସ୍ବପ୍ନ ପାଲଟିଛି । ଅନ୍ୟପଟେ ଅତିଶୀଘ୍ର ଜାନକୀଙ୍କ ଆଧାରକାର୍ଡ ସମସ୍ୟା ଦୂର ହୋଇଯିବ ବୋଲି କହିଛନ୍ତି ବିଡ଼ିଓ ।

ମୌଳିକ ସୁବିଧାରୁ ବଞ୍ଚିତ ଏହି ବୃଦ୍ଧା ବାର୍ଦ୍ଧକ୍ୟ ଜନିତ ପ୍ରୋତ୍ସାହନ ରାଶି ମଧ୍ୟ ଆଧାର ସଂଯୋଗ ବିନା କଟି ଯିବ ବୋଲି କହିଲେଣି ପଞ୍ଚାୟତ ପି.ଓ । ତେବେ ଅତିଶୀଘ୍ର ଜାନକୀଙ୍କ ଆଧାର କାର୍ଡ ହୋଇଗଲେ ସେ ଉପକୃତ ହେବେ ।