ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

1 min read
Depression Remnant of Cyclone JAWAD To Reach Puri Coast

ଭୁବନେଶ୍ୱର: ଟଳିଗଲା ବିପଦ । ବାତ୍ୟା ନୁହେଁ ଆଜି ଅବପାତ ହୋଇ ପୁରୀ ଉପକୂଳ ଛୁଇଁବ ‘ଜୱାଦ’ । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ଗଭୀର ଅବପାତ । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣରେ ୨୦୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୨୭୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୩୬୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ ।

ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇ ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଅବପାତ ପ୍ରଭାବରେ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

କେବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply