spot_img

Latest Posts

ଉପକୂଳ ମୁହାଁ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପର ରୂପ ନେଲା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୁତ ହୋଇ ଅବପାତର ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅବପାତରେ ପରିଣତ ହେବା ପରେ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ସକାଳ ସାଢେ ଆଠଟାରୁ ୨୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଘଡିଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବାକି ଓଡ଼ିଶାର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ରାୟଗଡାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା । କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି.ଉଦୟଗିରିରେ ୮.୨ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ, କୋରାପୁଟରେ ୧୦.୫ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ, ଭବାନୀପାଟଣାରେ ୧୨ଡିଗ୍ରୀ, ସୁନ୍ଦରଗଡର କିରେଇରେ ୧୨ ଡିଗ୍ରୀ, ସମ୍ବଲପୁରର ଚିପିଲିମାରେ ୧୩.୨ ଡିଗ୍ରୀ ଏବଂ ଝାରସୁଗୁଡାରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Latest Posts

Don't Miss