ସଫ୍ଟଓ୍ବେର ଜରିଆରେ ଦିବ୍ୟାଙ୍ଗ ପାଇବେ ନୂଆ ଦିଗ: ୨୬ରେ ହାକାଥନ, ପ୍ରଦର୍ଶନ ହେବ ଟେକ୍ନୋଲୋଜି

1 min read

ଭୁବନେଶ୍ବର: ସଫ୍ଟଓ୍ବେର ଜରିଆରେ ଦିବ୍ୟାଙ୍ଗଙ୍କୁ ଦିଆଯିବ ନୂଆ ଜୀବନ । ଏ ନେଇ ଆସନ୍ତା ଡିସେମ୍ବର ୨୬ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜନ କରାଯିବ ଦିନିକିଆ ହାକାଥନ । ଯେଉଁଥିରେ ଭୁବନେଶ୍ବର ଆଇଆଇଟି, ଭୁବନେଶ୍ବର ତ୍ରିପଲ ଆଇଟି, ଜାଭିଆର୍ସ ବିଶ୍ବବିଦ୍ୟାଳୟ ଓ କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରଙ୍କୁ ଭାଗ ନେବାକୁ ଚିଠି ଲେଖିଛନ୍ତି ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ଟେକ୍ନୋଲୋଜି ଦ୍ବାରା ସଫ୍ଟଓ୍ବେର ଡିଜାଇନ କରିଥିବା ଛାତ୍ରଛାତ୍ରୀ ଭାଗ ନେବେ ।

ଆଇଆଇଟି ଦିଲ୍ଲୀ ଓ ଆଇଆଇଟି କାନପୁର ଛାତ୍ରଛାତ୍ରୀ ଦୃଷ୍ଟିହୀନଙ୍କ ପାଇଁ ସ୍ମାର୍ଟ ଗ୍ଲାସ୍ ଡିଜାଇନ୍ କରିଛନ୍ତି । ଯାହାଦ୍ବାରା ଦୃଷ୍ଟିହୀନମାନେ ଡିଜିଟାଲ ରିଡିଙ୍ଗ କରି ପାରୁଛନ୍ତି । ଏହିପରି ଅନେକ ଟେକ୍ନୋଲୋଜି ରହିଛି, ଯାହା ଦିବ୍ୟାଙ୍ଗଙ୍କ ଅକ୍ଷମତା ଦୂର କରି ପାରିବ । ଏଥିପାଇଁ ଭୁବନେଶ୍ବର ଆଇଆଇଟି, ଭୁବନେଶ୍ବର ତ୍ରିପଲ ଆଇଟି, ଜାଭିଅର୍ସ ବିଶ୍ବବିଦ୍ୟାଳୟ ଓ କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗୋଟାଏ ପ୍ଲାଟଫର୍ମକୁ ଅଣାଯିବ । ଡିସେମ୍ବର ୨୬ରେ ହେବାକୁ ଥିବା ହାକାଥନ ଜରିଆରେ ସେମାନେ ଟେକ୍ନୋଲୋଜିକୁ ପ୍ରଦର୍ଶନ କରି ପାରିବେ । ଏଥିରେ ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ ବି ସହଯୋଗ କରୁଛି । ଏହି ହାକାଥନର ଶୀର୍ଷକ ହେଉଛି ‘ହାକାଥନ ଅନ ଆକ୍ସେସିଭ ଟେକ୍ନୋଲୋଜି’ । ଏଥିରେ ଏମସିଏ, ଏମ.ଟେକ୍ ଓ ରିସର୍ଚ୍ଚ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ନାମ ପଞ୍ଜିକରଣ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିଠି କରିଛି । ହାକାଥନରେ ଦିବ୍ୟାଙ୍ଗଙ୍କ ପାଇଁ ସଫ୍ଟୱେର ଡିଜାଇନ୍ କରାଯିବ । ଭଲ ଡିଜାଇନଗୁଡ଼ିକୁ ପରବର୍ତ୍ତି ରିସର୍ଚ୍ଚ ପାଇଁ ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ ସହାୟତା ପ୍ରଦାନ କରିବ । ଦିବ୍ୟାଙ୍ଗଙ୍କ ପାଇଁ ଡିଜାଇନ୍ ହୋଇଥିବା ଟେକ୍ନୋଲୋଜି ଡ୍ରିଭେନ୍ ମେସିନକୁ ଏହି ସଫ୍ଟୱେର କଣ୍ଟ୍ରୋଲ କରିବ ।

ଦିବ୍ୟାଙ୍ଗମାନେ ସଫ୍ଟଓ୍ବେର ଜରିଆରେ କଣ୍ଟ୍ରୋଲ ମେକାନିଜିମର ଅଧିକାର ପାଇବେ । ସେମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ରେଟ୍ରୋଫିଟେଡ୍ ଭେଇକେଲର ଇଂଜିନକୁ ସଫ୍ଟୱେର ଦ୍ବାରା ଡ୍ରାଇଭ୍ କରାଯିବ । ଯାହା ସେମାନଙ୍କ ଗମନାଗମନକୁ ସରଳ କରିବାରେ ସହାୟକ ହେବ । ଏଥିରେ AI ବା କୃତ୍ରିମ ବୁଦ୍ଧିମତା ପ୍ରୟୋଗ ଉପରେ ବି ଗୁରୁତ୍ବ ଦିଆଯିବା ନେଇ ମତ ଆସିଛି ।

ହାକାଥନରେ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଭାଗ ନେବାର ସୁଯୋଗ ଦିଆଯିବ । ପ୍ରତି ଶିକ୍ଷାନୁଷ୍ଠାନରୁ ୮ ଲେଖାଏଁ ଛାତ୍ରଛାତ୍ରୀ ନିଜ ଡିଜାଇନର ସଫ୍ଟଓ୍ବେରକୁ ପ୍ରଦର୍ଶନ କରିବେ । ପରିବହନ ଓ ଖାଦ୍ୟ ଖର୍ଚ୍ଚ ବହନ କରିବ ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ ।