ବନ୍ଧା ହେଲେ ବିଜେପି ବିଧାୟକ: ଗୁଣ୍ଡାରାଜକୁ ସବୁ ମହଲରେ ସମାଲୋଚନା

ଭୁବନେଶ୍ବର: ବିଡିଓଙ୍କୁ ମାଡ ମାରିବା ବିଜେପିର ଦେବଗଡ଼ ବିଧାକୟ ସୁବାସ ପାଣିଗ୍ରାହୀଙ୍କୁ ପଡିଲା ମହଙ୍ଗା । ସହଯୋଗୀଙ୍କ ସହ ବିଧାୟକଙ୍କୁ ବାନ୍ଧିଲା ପୋଲିସ । ଭୁବନେଶ୍ବରରୁ ଉଠାଇ ନେଲା ପୋଲିସର ସ୍ବତନ୍ତ୍ର ଟିମ୍ । ଜଣଙ୍କ ପରେ ଜଣେ ବିଜେପି ଲୋକ ପ୍ରତିନିଧିଙ୍କ ବିଶୃଙ୍ଖଳିତ ଆଚରଣକୁ ରାଜନୈତିକ ମହଲରେ କରାଯାଉଛି ତୀବ୍ର ନିନ୍ଦା । ଏପଟେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଫିସର ସଂଘ ଜଣାଇଲା ଧନ୍ୟବାଦ ।

ପୁଣି ହରଡ଼ଘଣାରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ସୁବାସଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ବର ସରକାରୀ କ୍ବାର୍ଟର୍ସରୁ ବିଧାୟକଙ୍କୁ ଉଠାଇ ନେଇଛି ଦେବଗଡ଼ ପୋଲିସ । ବିଡିଓଙ୍କ‌ ଅଭିଯୋଗ ଆଧାରରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଆଇନ ତିଆରି ଓ ରକ୍ଷା କରିବା ଦାୟିତ୍ବରେ ଥିବା ଜଣେ ବିଧାୟକ ଆଇନକୁ ହାତକୁ ନେଇ ପୋଲିସ ଦ୍ବାରା ବନ୍ଧା ହେବା ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରି ମାମଲାରେ ଫସି ଜାମିନରେ ଅଛନ୍ତି । ଏବେ ବିଜେପି ବିଧାୟକଙ୍କ ଦାଦାଗିରିକୁ କଡ଼ା ସମାଲୋଚନା କରିଛି ବିଜେଡି । ମରଦପଣିଆ ଦେଖାଇବାକୁ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

କଂଗ୍ରେସ ମଧ୍ୟ ପୋଲିସର ପଦକ୍ଷେପକୁ ସ୍ବାଗତ କରିଛି । ଆଇନ ଆଖିରେ ସମେସ୍ତ ସମାନ । ପୂର୍ବରୁ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଦବଙ୍ଗଗିରି ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ବିଧାୟକ ହୋଇ ଯଦି ଏପରି ଅଧିକାରୀଙ୍କୁ ଆକ୍ରମଣ କରିବେ, ଆଇନକୁ ହାତକୁ ନେବେ, ଅନ୍ୟମାନଙ୍କୁ ବାଡ଼ାପିଟା ପାଇଁ ଉସୁକାଇେବ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଜରୁରୀ । କଂଗ୍ରେସ ଏପରି ଦାଦାଗିରି କରୁଥିବା ବିଧାୟକଙ୍କୁ ସାବାଡ କରିବା ପାଇଁ ଦୃଢ ପଦକ୍ଷେପ ଦାବି କରିଥିବା ବେଳେ ବିଜେପି ନିଜ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଢିଛି ।

ପୂର୍ବରୁ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଗତ ମାର୍ଚ୍ଚ ମାସରେ ଧାନକିଣା ସମସ୍ୟା ଅଭିଯୋଗ ଆଣି ବିଧାନସଭା ଅଧବେଶନ ସମୟରେ ସାନିଟାଇଜର ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଉଦ୍ୟମ କରି ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଥିଲେ ସୁବାସ ପାଣିଗ୍ରାହୀ । ପୌର ନିର୍ବାଚନ ସମୟରେ ଟଙ୍କା ବାଣ୍ଟୁଥିବା ଜଣେ ବ୍ୟକ୍ତିଙ୍କୁ ମୁକାଳିବା ପାଇଁ ବିଧାୟକ ଥାନାରେ ପହଞ୍ଚିଥିଲେ । ସେ ଦୃଶ୍ୟ ବି ଖୁବ ଭାଇରାଲ ହୋଇଥିଲା ।

ସେପଟେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆସନ୍ତା କାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଦେଲେ ଦେବଗଡ଼ ବନ୍ଦ ଡାକରାର ସୂଚନା ।