ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟକୁ କମୁଛି ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ । ଫଳରେ ଦିନକୁ ଦିନ ତାପମାତ୍ରା ବଢ଼ିବା ସହ ଶୀତ କମିବାରେ ଲାଗିଛି । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟପଟେ ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି । ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ନୟାଗଡ଼ ଏବଂ କନ୍ଧମାଳରେ ଘନ କୁହୁଡ଼ି ଦେଖାଯାଉଛି ।

ଆସନ୍ତାକାଲି ଯାଏ ଏପରି ସ୍ଥିତି ଜାରି ରହିବ ବୋଲି ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସଆରସି । କୁହୁଡ଼ି ପାଇଁ ଦୁର୍ଘଟଣା ଘଟୁଥିବାରୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ଏସପି ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆସନ୍ତା ୧୭ ତାରିଖରୁ ବଦଳିଯିବ ପାଗ । ଉତ୍ତର ଓଡ଼ିଶାରେ ବର୍ଷା ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଢେଙ୍କାନାଳରେ ହାଲୁକା ବର୍ଷା ହୋଇପାରେ ।