ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର, ଦୁଇଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି
ଭୁବନେଶ୍ବର : ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର । କାଲି ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି ।
ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।