କେଉଁ ରାଇଜରୁ ଆସିଲ ବନ୍ଧୁ? ବିଦେଶରୁ ଆସି ଏମିତି ବନ୍ଧୁତ୍ୱ ନିଭାଇଲେ ଆଉ ଓଡ଼ିଆ ଲୋକଙ୍କ ମନ କିଣିନେଲେ ଏହି ଦୁଇ ଯୁବକ ଯୁବତୀ

ବ୍ରହ୍ମପୁର: ରୋଷଣି କରି ବର ଆସୁଛି, ଧୁମ୍‌ ଧଡ଼କ ନାଚ ଗୀତ ଚାଲିଛି । ନାଗିନ ନାଗିନ, ଲଡ଼ିକି  ଆଁଖ୍ ମାରେ… ଭଳି ହିନ୍ଦୀ ଓ ଓଡ଼ିଆ ଗୀତରେ ନାଚୁଛନ୍ତି ବରଯାତ୍ରୀ । ନାଚିବାରେ ଲାଗିଛନ୍ତି ୨ଜଣ ବିଦେଶୀ ବନ୍ଧୁ । ପୁରା ଦମରେ ନାଚୁଛନ୍ତି ଏହି ୨ ଜଣ ।

ସେମାନେ ଗୀତର ଅର୍ଥ କଣ ଜାଣି ନାହାନ୍ତି କି ଏହି ଗୀତ ବି କେବେ ଶୁଣି ନାହାନ୍ତି । କିନ୍ତୁ ପୋଖତ କଳାକାର ପରି ନାଚି ନିଜେ ମଜାନେବା ସହ ଅନ୍ୟ ମାନଙ୍କୁ ଆନନ୍ଦିତ କରାଉଛନ୍ତି । ଆଉ ପୁରା ଭାରତୀୟ ସଂସ୍କୃତିର ବେଶଭୂଷା ପରିଧାନ କରି ସମସ୍ତଙ୍କୁ ଓଡ଼ିଆଙ୍କ ପରି ନମସ୍କାର କରି ସମ୍ମାନ ଜଣାଉଛନ୍ତି । ଏହି ୨ଜଣ ନା ଭାରତୀୟ ନା ଓଡ଼ିଶାର। ଦୁହେଁ ଆସିଛନ୍ତି ସୁଦୂର ଡେନମାର୍କରୁ ।

ସାଙ୍ଗର ବାହାଘର ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ବନ୍ଧୁକୁ ଅଭିନନ୍ଦନ ଜଣାଇବା ପାଇଁ । କେବଳ ସେତିକି ନୁହେଁ, ଓଡ଼ିଆ ଖାଦ୍ୟକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି ଏହି ଦୁଇ ବନ୍ଧୁ । ଲୋକଙ୍କ ଚାଲିଚଳନ, ବାହାଘର ରୀତିନୀତି ଓ ଆତିଥ୍ୟରେ ବେଶ ଖୁସି ଜାହିର କରିଛନ୍ତି ।

ଶିବଙ୍କ ଘର ବ୍ରହ୍ମପୁର ଉପକଣ୍ଠ କନିଷିରେ । ଶିବ ଡେନ୍‌ମାର୍କରେ ଚାକିିରି କରିଛନ୍ତି ଆଉ ଏହି ଦୁଇ ବନ୍ଧୁ ହେଉଛନ୍ତି ଶିବଙ୍କ ଅନ୍ତରଙ୍ଗ । ସେମାନେ ଚାହିଁଥିଲେ ଶିବଙ୍କ ବାହାଘରର ସୋସିଆଲ ମିଡିଆ ଲାଇଭ୍ ଦେଖି ମଜା ନେଇପାରିଥାନ୍ତେ । କିନ୍ତୁ ବନ୍ଧୁତ୍ୱ କେମିତି ନିଭାଯାଏ ତାହା ଦେଖାଇବାକୁ ସେମିତି ନିଜେ ଓଡ଼ିଶା ଆସିଛନ୍ତି । ବାହାଘରର ଭିଡ଼ ଭିତରେ ଯାହା ସବୁ ଘଟୁଛି ତାହାକୁ ନିଜ ମୋବାଇଲ କ୍ୟାମେରାରେ କଏଦ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହଁ, ବିଦେଶୀ ବନ୍ଧୁ ୨ଜଣ ବର ଓ କନ୍ୟାଙ୍କ ଉପରକୁ ଫୁଲ ପକାଇ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ ।

ଯେଉଁଠି ପାଖରେ ଥିବା ବନ୍ଧୁ ଭଲ ମନ୍ଦରେ ଛିଡ଼ା ହେବା ଦୂରର କଥା, ଫେସ୍‌ବୁକ୍‌ରେ ଏକ ଲାଇକ୍ କରିବାକୁ ୧୦ ଥର ଚିନ୍ତା କରୁଛି, ସେଠି ୧୦ ହଜାର କିଲୋମିଟର ଦୂରରୁ ଛୁଟି ଆସିଛନ୍ତି ଏହି ଦୁଇ ବିଦେଶୀ ସାଙ୍ଗ । ଯାହାକି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚିତ ।

Leave a Reply