ଡେଙ୍ଗୁ ମୁକାବିଲା କରିବ ଆପ୍: ଡେଙ୍ଗୁ ପ୍ରବଣ ଅଞ୍ଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି ବିଏମସି
1 min read
ଡେଙ୍ଗୁ ମୁକାବିଲା କରିବ ଆପ୍ । ଡ୍ରୋନ ପରେ ଏବେ ଜିଓ ଟ୍ୟାଗିଙ୍ଗ୍ । ଚିହ୍ନଟ ହେବ ମଶାପ୍ରବଣ ଅଞ୍ଚଳ । ହଟସ୍ପଟ୍ ଜୋନରେ ହେବ ରେଡ୍ ମ୍ୟାପିଂ । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ । ନୂଆ ଟେକ୍ନୋଲୋଜି ଦ୍ଵାରା ଡେଙ୍ଗୁ ପ୍ରବଣ ଅଞ୍ଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି ବିଏମସି । ଏଥିଲାଗି ବିଏମସି ପରିମଳ ଓ ଆଇଟି ବିଭାଗ ମିଳିତ ଭାବେ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରିବାକୁ ଯାଉଛି । ଅଧିକ ମଶା ହେଉଥିବା ସ୍ଥାନକୁ ପ୍ରଥମେ ଚିହ୍ନଟ କରାଯିବ । ସର୍ଭେଲାନ୍ସ ଟିମ୍, ଆଶା, ଅଙ୍ଗନବାଡ଼ି କର୍ମଚାରୀ ମିଳିତ ଭାବେ ଅଞ୍ଚଳ ପରିଦର୍ଶନ କରିବେ । ଅଞ୍ଚଳର ଫଟୋ ଅକ୍ଷାଂଶ, ଦ୍ରାଘିମା, ତାରିଖ ଏବଂ ସମୟ ସହ ଅପଲୋଡ କରାଯିବ । ଏହାକୁ ରେଡ୍ ମ୍ୟାପିଂ କରି ଚିହ୍ନଟ କରାଯିବ । ଏହାପରେ ସ୍ବତନ୍ତ୍ର ଆପ୍ ଜରିଆରେ ସେହି ଅଞ୍ଚଳର ଫଟୋ ଅପଲୋଡ ହେବ । ଜିଓ ହେଉଛି ଜିଓଗ୍ରାଫିକାଲ ଇନଫରମେସନ । ବିଏମସି ପକ୍ଷରୁ ମଶାପ୍ରବଣ ସ୍ଥାନ ଚିହ୍ନଟ ହେବା ପରେ କେଉଁ ଅଞ୍ଚଳରେ ରୋଗୀ ସଂଖ୍ୟା ଅଧିକ ରହିଛି ଏହି ଆପ୍ ଜରିଆରେ ଜାଣିହେବ । ଫଳରେ ଲୋକେ ଅଧିକ ସତର୍କ ହୋଇ ପାରିବେ ।
ଆପ୍ ଜରିଆରେ ଜଣେ ସାଧାରଣ ଲୋକ ଅଭିଯୋଗ ମଧ୍ୟ କରି ପାରିବେ । ଅଭିଯୋଗ ଆସିବା ମାତ୍ରେ ବିଏମସି କୁଇକ୍ ଆକ୍ସନ ଟିମ୍ ଏବଂ ସର୍ଭେଲାନ୍ସ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବେ । ପ୍ରତି ଗୁରୁବାର ପରି ଭୁବନେଶ୍ବରର ଡ୍ରାଏ-ଡେ ପାଳନ ହୋଇଛି । ୫୪ ନମ୍ବର ୱ୍ବାର୍ଡରେ ସ୍ବଛସାଥୀ, ଏନଜିଓ ସହୟତାରେ ସଚେତନ କରିଛନ୍ତି କର୍ପୋରେଟର ସନ୍ତୋଷ ସିଂ। ମଶା ଲାର୍ଭା କେମିତି ନହେବ, ମଶା ତେଲ ପକାଇବା ସହିତ ସ୍ପ୍ରେ କରୁଛନ୍ତି । ସେହିଭଳି ୩୫ ନମ୍ବର ୱାର୍ଡରେ କର୍ପୋରେଟର ଗଳି କନ୍ଦିରେ ଉପସ୍ଥିତ ରହି ସଫେଇ କରାଉଛନ୍ତି । ଏହାସହ ପାଣି ଜମିଥିବା ସ୍ଥାନରେ ମଶା ତେଲ ଓ ସ୍ପ୍ରେ କରୁଛନ୍ତି । ପୂର୍ବରୁ ମଶା ଦମନ କରିବାକୁ ବିଏମସି ଡ୍ରୋନ୍ ସାହାଯ୍ୟରେ ଔଷଧ ସିଞ୍ଚନ କରିଥିଲା । କିନ୍ତୁ ଡେଙ୍ଗୁ ନିରାକରଣ ସମ୍ଭବ ହେଲା ନାହିଁ । ଏବେ ପୁଣି ଡେଙ୍ଗୁ ହଟସ୍ପଟ ଚିହ୍ନଟ କରିବାକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା ହେଉଛି ।