ଗତ ବର୍ଷ ତୁଳନାରେ ରାଜଧାନୀରେ ଏଥର ଡେଙ୍ଗୁ ରୋଗୀ ସଂଖ୍ୟା କମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଗତବର୍ଷ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଦୈନିକ ରୋଗୀସଂଖ୍ୟା ହ୍ରାସ ପାଉଛି । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଚଳିତବର୍ଷ ରାଜ୍ୟରେ ୨୭ ହଜାର ୨୪୮ ନମୁନା ପରୀକ୍ଷା କରାଯାଇଥିଲା ।

୩ ହଜାର ୭୦୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୧୫ ହଜାର ୧୯୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩ ହଜାର ୭୫୦ ରୋଗୀ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨ ହଜାର ୨୦୬, ମାଲକାନଗିରିରେ ୨୨୩, କୋରାପୁଟରେ ୩୮୯, ରାୟଗଡ଼ାରେ ୩୧୬, ଭୁବନେଶ୍ୱରରେ ୧ ହଜାର ୯୦୦ ଏବଂ ପୁରୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୪ ରହିଛି।

ଡେଙ୍ଗୁ ରୋକିବା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ଆଗକୁ ବର୍ଷା ଥିବାରୁ ମଶା ଲାର୍ଭା ନଷ୍ଟ କରି ଏଡିସ ମଶାର ବଂଶ ବୃଦ୍ଧି ରୋକିବାକୁ ହେବ । ବୁସ୍‌ କଟିଂ ଜାରି ରହିଥିଲେ ମଧ୍ୟ ବର୍ଷା ଯୋଗୁ ମଶାଧୂଆଁ ଛାଡିବା ସମ୍ଭବ ହେଉନାହିଁ। ପାଗ ଶୁଖିଲା ରହିଲେ ଫଗିଂ କରାଯିବ ବୋଲି ବିଏମସି କମିଶନର କହିଛନ୍ତି । ଆଗକୁ ଆହୁରି ଏକ ମାସ ଆମକୁ ଯତ୍ନବାନ ରହିବାକୁ ହେବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।