କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ, ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ

1 min read

ଭାନକୋଭର: ଭାରତ-କାନାଡ଼ା ବିବଦ ଚରମରେ ପହଞ୍ଚି ଥିବା ବେଳେ ଏଥିରେ ନିଆଁ ଢାଳିଛନ୍ତି ଖାଲିସ୍ତାନୀ ସମର୍ଥକ । ଗତକାଲି କାନାଡ଼ାରେ ପୁଣି ଭାରତ ବିରୋଧୀ ପ୍ରଦର୍ଶନ କରିଛନ୍ତି ଖାଲିସ୍ତାନୀ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକ । ଭାନକୋଭର ଭାରତୀୟ ଦୂତାବାସ ସମ୍ମୁଖରେ ଏହି ବିରୋଧ ପ୍ରଦର୍ଶନ ବେଳେ ତ୍ରିରଙ୍ଗାକୁ ଅପମାନିତ କରିଛନ୍ତି ଆତଙ୍କୀ ଓ ସେମାନଙ୍କ ସମର୍ଥକ । ଭାରତୀୟ ଦୂତାବାସ ସମ୍ମୁଖରେ ତ୍ରିରଙ୍ଗାକୁ ଚିରିଛନ୍ତି ଦେଶଦ୍ରୋହୀ । ଯାହକୁ ନେଇ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶିଖ ଫର ଜଷ୍ଟିସ୍ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁଙ୍କ ଆହ୍ବାନରେ ଭାନକୋଭର ଓ ଓଟାଓ୍ବାରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି ।

ଭାନକୋଭରରେ ପ୍ରଦର୍ଶନକାରୀ ଦୂତାବାସ ସମ୍ମୁଖରେ ଏକାଠି ହୋଇ ଖାଲିସ୍ତାନ ସମର୍ଥନ ଓ ଭାରତ ବିରୋଧରେ ନାରାବାଜି କରିଥିଲେ । ସେମାନେ ସାଙ୍ଗରେ ଆଣିଥିବା ତ୍ରିରଙ୍ଗାର ଏକ ବଡ଼ ବ୍ୟାନରକୁ ତଳେ ପକାଇ ତା’ ଉପରେ ଚାଲିଥିଲେ । ସେହିପରି ଓଟାଓ୍ବାରେ ମଧ୍ୟ ଭାରତୀୟ ଦୂତାବାସ ସମ୍ମୁଖରେ ଖାଲିସ୍ତାନୀ ସମର୍ଥକ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ ଶତାଧିକ ସାମିଲ ହେବା ନେଇ ଏସଏଫଜି ଅନୁମାନ କରିଥିଲା । ହେଲେ ଓଭରସିଜ୍ ଅଫ୍ ଇଣ୍ଡିଆ (OCI) ରଦ୍ଦ ହେବା ଭୟରେ ମାତ୍ର ୩୦ ଜଣ ଭାରତ ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିଲେ ।