ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ ବୁଲିଲା ବୁଲଡୋଜର

1 min read

ପୁରୀ: ପୁଣି ଥରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ । ମ୍ୟୁନିସିପାଲିଟି ମାର୍କେଟ ପରେ ମହୋଦଧି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିଛି ପ୍ରଶାସନ । ସହରର ପେଣ୍ଠସ୍ଥଳ ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସକୁ ପୂର୍ବରୁ ପ୍ରଶାସନ ଅସୁରକ୍ଷିତ ଦର୍ଶାଇଥିଲା । ଆଜି ପୂର୍ବ ନିର୍ଦ୍ଦେଶ ଅନୁସାରେ କମ୍ପ୍ଲେକ୍ସକୁ ୩ଟି ବୁଲଡୋଜର ଲଗାଯାଇ ଭାଙ୍ଗି ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

୧୯୬୯ ମସିହାରେ ନିର୍ମିତ ହୋଇଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ ୫୮ରୁ ଅଧିକ ଦୋକାନ ରହିଥିଲା । ଏହାକୁ ଯୁଗ୍ମ ବୈଷୟିକ କମିଟି ଅସୁରକ୍ଷିତ ଘୋଷଣା କରିଥିଲା । କୋଠା ଦୁର୍ବଳ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯିବାର ସମ୍ଭାବନା ରହିଥିଲା । ପୂର୍ବ ନିର୍ଦ୍ଦେଶ ମୁତାବକ ତାକୁ ଆଜି ଭାଙ୍ଗି ଦିଆଯାଇଛି ।

Puri Demolition (2)

ଭଙ୍ଗା ଯାଇଥିବା ସ୍ଥାନରେ ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ ବୋଲି ସୂଚନା ଦିଆଯାଇଛି । ବିସ୍ଥାପିତ ହୋଇଥିବା ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ । ଅଧିକ ଦୋକାନ ଘର ବାହାରିଲେ, ଅନ୍ୟ ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଛି ।

Puri Demolition

ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ବ୍ୟବସାୟୀ ମାନେ ସହଯୋଗ କରିଛନ୍ତି । ପ୍ରଶାସନ ୨ ବର୍ଷ ମଧ୍ୟରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଶୀଘ୍ର ଥଇଥାନ ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଶ୍ୱ ଐତିହ୍ୟ ନଗରୀ ଭାବେ ପୁରୀକୁ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଭଳି ଉଚ୍ଛେଦ ସେ ଦିଗରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ')}

Leave a Reply