ଦିଲ୍ଲୀ: ନ୍ୟୁ ଫ୍ରେଣ୍ଡସ କଲୋନୀ ଓ ମଙ୍ଗଳପୁରୀରେ ବୁଲିଲା ବୁଲଡୋଜର

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଓ ମଙ୍ଗଳପୁରୀରେ ବୁଲିଲା ବୁଲଡୋଜର । ବେଆଇନ ନିର୍ମାଣ ହଟାଇବା ପାଇଁ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ବ୍ୟାପକ ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ଆମ ଆଦମୀ ପାର୍ଟି ବିଧାୟକ ମୁକେଶ ଆହଲଓ୍ବାଟ୍ ଘଟଣାସ୍ଥଳକୁ ଯାଇ ଉଚ୍ଛେଦ ଅଭିଯାନରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ଅଟକ ରଖିଛି ପୋଲିସ । ଲୋକେ ଯଦି ଜାଗା ଖାଲି କରିଦେଇଛନ୍ତି, ତାହା ହେଲେ ବୁଲଡୋଜର କାହିଁକି ପ୍ରୟୋଗ କରାଯାଉଛି ବୋଲି ଆପ୍ ବିଧାୟକ ପ୍ରଶ୍ନ କରିଛନ୍ତି । ଜବରଦଖଲ ସଂପର୍କରେ ପ୍ରମାଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି  । ତେବେ ଉଚ୍ଛେଦ ଅଭିଯାନରେ ଲୋକେ ସହଯୋଗ କରୁଛନ୍ତି ବୋଲି ଦିଲ୍ଲୀ ଡିସିପି ସମୀର ଶର୍ମା କହିଛନ୍ତି  । ଗତକାଲି ସାହିନବାଗରେ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଥିଲା ଦକ୍ଷିଣ ଦିଲ୍ଲୀ ନଗର ନିଗମ  । ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ସ୍ଥଗିତ ରଖାଯାଇଛି  । ପ୍ରଭାବିତ ଲୋକେ ଏହି ମାମଲାରେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ  ।