ମହାନଦୀ ସମେତ ଅନ୍ୟ ନଦୀର ସୁରକ୍ଷା ପାଇଁ ବଜେଟରେ ଗୁରୁତ୍ବ ଦେବାକୁ ଦାବି

ଭୁବନେଶ୍ବର: ନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ବଜେଟର ଗୁରୁତ୍ବ ଦିଅନ୍ତୁ । ମହାନଦୀ ସମେତ ଅନ୍ଯାନ୍ଯ ନଦୀର ସୁରକ୍ଷା ପାଇଁ ନୂଆ ସରକାରଙ୍କ ନିକଟରେ ଏଭଳି ଦାବି ରଖିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ମହାନଦୀ ପ୍ରସଙ୍ଗରେ ଓଡିଶାକୁ ହକ ମିଳିବା ଓ ରାଜ୍ୟର ସମସ୍ତ ନଦୀ ତଥା ଜଳାଶୟର ସୁରକ୍ଷା ନିହାତି ଆବଶ୍ୟକ । ବର୍ତ୍ତମାନର ବିଜେପି ସରକାର ନଦୀ ସୁରକ୍ଷା ଓ ଚାଷ ଉପରେ ଗୁରୁତ୍ୱ ଦେବା କଥା କହୁଥିବାରୁ ବଜେଟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରମୁଖ ରାଜ୍ୟରେ ଜଳ ସଂକଟ ବ୍ୟାପକ ରୂପ ନେଉଥିବା ବେଳେ ଓଡ଼ିଶାରେ ସେଭଳି ସ୍ଥିତି ଯେପରି ସୃଷ୍ଟି ନହେବ ସେଥିପାଇଁ ଧ୍ଯାନ ଦେବାକୁ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ମହାନଦୀରେ ସ୍ବାଭାବିକ ହେଉ ଜଳ ପ୍ରବାହ । ନଦୀ ନହେଉ ପ୍ରଦୂଷିତ । କରା ନଯାଉ ବେଆଇନ ନିର୍ମାଣ । ରାଜ୍ୟରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀ ତଥା ଜଳାଶୟର ସୁରକ୍ଷା ପାଇଁ ଆସନ୍ତା ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ନଦୀଗୁଡିକର ଏକ ସ୍ୱତନ୍ତ୍ର ସର୍ଭେ କରାଯିବା ସହ ଇନଷ୍ଟ୍ରିମ ବ୍ୟାରେଜ ନିର୍ମାଣ ପାଇଁ ସର୍ବାଧିକ ଗୁରୁତ୍ୱ ଦେବାକୁ ବିଜେପି ସରକାର ନିକଟରେ ଦାବି ହୋଇଛି । ଦିନକୁ ଦିନ ଭୂତଳ ଜଳସ୍ତର ଖସିବାରେ ଲାଗିଛି । ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଲା ପଡୁଛି । ଯାହାକି ପରିବେଶ ଓ ଚାଷ ଉପରେ ବଡ଼ ପ୍ରଭାବ ପକାଉଛି । ଏଣୁ ବଜେଟରେ ଏସବୁର ସମାଧାନ ପାଇଁ ଆର୍ଥିକ ବ୍ୟୟବରାଦ କରିବାକୁ ଦାବି ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜ୍ୟର ସାମଗ୍ରିକ ପ୍ରଗତି ପାଇଁ ଚାଷ ଓ ଚାଷୀଙ୍କ ଉନ୍ନତି ନିହାତି ଆବଶ୍ୟକ । ଚାଷ ପାଇଁ ଜଳସେଚନ ଜରୁରୀ । ଯଦି ରାଜ୍ୟର ନଦୀ ଓ ଜଳାଶୟଗୁଡିକ ଏଭଳି ଶୁଖିଲା ରହିବ ତା’ହେଲେ ଚାଷ କରାଯାଇପାରିବ ନାହିଁ । ଏଣୁ ରାଜ୍ଯର ଅର୍ଥନୈତିକ ପ୍ରଗତି ତଥା ଚାଷୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରଥମେ ନଦୀକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି କୁହାଯାଇଛି ।

ଛତିଶଗଡ଼ର ମାନମାନି ଯୋଗୁଁ ଓଡ଼ିଶାରେ ମହାନଦୀ ଶୁଖିଲା ପଡିଛି । ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତେଣୁ ରାଜ୍ୟର ନୂଆ ବିଜେପି ସରକାର ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି ସବୁ ମହଲରେ ଆଶା ପ୍ରକାଶ ପାଇଛି ।