ମାମୁଁ ଭଣଜା ପାହାଡ଼କୁ କେବେ ମିଳିବ ମାନ୍ୟତା ?

1 min read

ନୟାଗଡ଼: ରାଜ୍ୟରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି । ଯାହା ଦେଶ, ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ନୟାଗଡ଼ ଏମିତି ଏକ ଜିଲ୍ଲା ଯେଉଁଠି ରହିଛି ଏକାଧିକ ପର୍ଯ୍ୟଟନ ସ୍ଥଳ । ଏହା ମଧ୍ୟରୁ ଗୋଟିଏ ହେଉଛି ମାମୁଁ ଭଣଜା ପାହାଡ଼ । ଏହି ପାହାଡ଼କୁ ଛୁଟି କଟାଇବାକୁ ଧାଇଁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । କେବଳ ପିକନିକର ମଜା ନୁହେଁ, ପୌରାଣିକ କଥାବସ୍ତୁର ଜ୍ଞାନ ମଧ୍ୟ ଆହରଣ କରିଥାନ୍ତି । ହେଲେ ବିଡମ୍ବନା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାକୁ ମାମୁଁ ଭଣଜା ପାହାଡ଼କୁ ସଂଘର୍ଷ କରିବାକୁ ପଡୁଛି ।

ପ୍ରାୟ ଏକ ହଜାର ଫୁଟ ଉଚ୍ଚା । ନାଁ ମାମୁଁ ଭଣଜା ପାହାଡ । ପାହଡରେ ଶୋଭା ପାଉଛି ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ମନେ ପକାଉଛନ୍ତି ପୌରାଣିକ ଯୁଗର ଗାଥା । ଦ୍ରୌପଦୀଙ୍କ ସ୍ବୟଂମ୍ବର ସଭା ହେଉ କି କପିଦ୍ବଜ ରଥରେ ଭୀଷ୍ମଙ୍କ ଗର୍ବ ଗଞ୍ଜନର ଦୃଶ୍ୟ ପ୍ରତିକୃତି ଭାରତର ଐତିହ୍ୟକୁ ଜୀବନ୍ତ କରୁଛି ।

ନୟାଗଡ ଜିଲ୍ଲାର ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ନିକଟରେ ରହିଛି ଏହି ପାହାଡ । ପାହାଡ ମୁଣ୍ଡିଆରେ ଥିବା ହନୁମାନ ହେଉଛନ୍ତି ଏଠାକାର ମୂଳ ଆରାଧ୍ୟ ଠାକୁର । ଦେବାଦେବୀଙ୍କ ପ୍ରତୀମା, ପୌରାଣିକ ଗାଥା ସହ ପ୍ରାକୃତିକ ଶୋଭାରାଜି ଟାଣି ଆଣିଥାଏ ପର୍ଯ୍ୟଟକଙ୍କୁ । ବିଶେଷ କରି ଶୀତଦିନେ ଏଠାରେ ଜମେ ପିକନିକ ପାଇଁ ଭିଡ଼ । ଏଠାରେ କିଛି ସମୟ ବିତାଇବା ସହ ପ୍ରାକୃତି ସହ ମିଶି ଯିବାକୁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ ।

ପାହାଡରେ ୧୦୮ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରୟାସ କରାଯାଉଛି l ନିସନ୍ତାନ ଦମ୍ପତି ପାହାଡରେ ଥିବା ଗୁମ୍ପା ଦେଇ ଗଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଏଭଳି କିଛି ବିଶ୍ବାସ ଓ ଭକ୍ତି ପାଇଁ ବର୍ଷ ତମାମ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟଙ୍କ ଭିଡ଼ି ଜମୁଛି ।

ହେଲେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇନାହାନ୍ତି ମାମୁଁ ଭଣଜା ପାହାଡ଼ । ସରକାରଙ୍କ ତରଫରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବା ସହ ଏହାର ଉନ୍ନତି ପ୍ରତି ଦୃଷ୍ଟଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Leave a Reply